No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ବାଲିଗୁଡ଼ା :- କନ୍ଧମାଳରେ ସରୁନି ଦାଦନ ଦୁଃଖ l ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାରେ କାମଧନ୍ଦା ଅଭାବରୁ ପେଟପାଟଣା ପାଇଁ ବାହାର ରାଜ୍ୟ ଆନ୍ଧ୍ର ପ୍ରଦେଶ, କେରଳ, ଚେନ୍ନାଇ, ଓ ବେଙ୍ଗୁଲୁରକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ଦୁଃଖର ବିଷୟ କିଏ ଶବ ହୋଇ ଫେରୁଛି ତ ଆଉ କିଏ ବାହାର ରାଜ୍ୟରେ ଶାରିରୀକ ନିର୍ଯାତନାର ଶିକାର ହେଉଛନ୍ତି । ବିଭିନ୍ନ ସମୟରେ ବେଆଇନ ମାନବ ଚାଲାଣ ହେଉଛି । ଏପରିକି ନାବାଳିକା ଓ ମହିଳାଙ୍କୁ ଚାଲାଣ କରାଯାଇ ସେଠାରେ ଖରାପ କାମରେ ନିୟୋଜିତ କରାଯାଉଛି l ସଚେତନତା ଅଭାବରୁ ହେଉ ଅବା ପ୍ରଶାସନ କାମଧନ୍ଦା ଯୋଗାଇ ଦେବାରେ ଅକ୍ଷମ ଯୋଗୁଁ ଦଲାଲମାନେ ସକ୍ରିୟ ହେଉଛନ୍ତି l
ପ୍ରଲୋଭନ ଦେଖାଇ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି l ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ବାଲିଗୁଡା ଥାନା ଅନ୍ତର୍ଗତ ଗୁଳିମରା ସାହିରେ । ଗୁଳିମରା ସାହିର ସୋମନାଥ ପୂଜାରୀ ଓରଫ ଶମ୍ବୁ ପୂଜାରୀ ନାମକ ଜଣେ ଶ୍ରମିକ ଦାଦନ ଖଟିବାକୁ ଯାଇ ଦୀର୍ଘ ପାଞ୍ଚ ମାସ ହେବ ନିଖୋଜ ଅଛନ୍ତି । ସୋମନାଥଙ୍କର କୌଣସି ସନ୍ଧାନ ମିଳୁନାହିଁ l ମିଳିଥିବା ସୂଚନା ଅନୁସାରେ, ଗତ ଜୁଲାଇ ୧ ତାରିଖ ଦିନ ଗୁଳିମରା ସାହିର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲ ବିଭିନ୍ନ ପ୍ରଲୋଭନ ଦେଖାଇ ସୋମନାଥଙ୍କୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା ।
ପୁଣି ଦୁଇ ଦିନପରେ ସୋମନାଥ ଗାଁକୁ ଫେରୁଥିବା ବେଳେ ଗୁଣ୍ଡୁର ରେଳ ଷ୍ଟେସନରେ ନିଖୋଜ ହୋଇଛି ବୋଲି ଖବର ଦେଇଥିଲା l ସୋମନାଥଙ୍କ ପରିବାର ଲୋକେ ସୋମନାଥଙ୍କୁ ଖୋଜି ଆଣିଦିଅ ବୋଲି ସନ୍ତୋଷକୁ କହିଥିଲେ । ହେଲେ ଦଲାଲ ସନ୍ତୋଷ ମଙ୍ଗରାଜ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହେଉଛି l ସୋମନାଥଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମଧ୍ୟ ତାଙ୍କ ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଏନେଇ ସୋମନାଥ ପୂଜାରୀଙ୍କ ସ୍ତ୍ରୀ ସବିତା ପୂଜାରୀ ବାଲିଗୁଡା ଥାନାରେ ଏତଲା ଦେଇଥିଲେ l ତେବେ ତଦନ୍ତରେ ପୋଲିସ ଅବହେଳା କରୁଥିବା ନେଇ ଅଭିଯୋଗ କରିଛନ୍ତି l
ଏନେଇ ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କୁ ଫୋନଯୋଗେ ପଚାରିବାରୁ ସେ କହିଛନ୍ତି ଯେ, ନିଖୋଜ ବ୍ୟକ୍ତି ଫୋନ ଧରୁନଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଉକ୍ତ ଘଟଣାର ତଦନ୍ତ ଚାଲିଛି । ସନ୍ତୋଷ ମଙ୍ଗରାଜକୁ ଡାକି ପଚରାଉଚରା କରାଯାଇ ଖୁବଶୀଘ୍ର ଉଦ୍ଧାର ପାଇଁ ପ୍ରୟାସ କରାଯିବ l ଏପଟେ ଶମ୍ବୁପୂଜାରୀ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ପରିବାର ଚଳିବା ମୁସ୍କିଲ ହୋଇପଡିଛି । ପରିବାର ଲୋକେ ଭୋକ ଉପବାସରେ ସୋମନାଥଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି l
No Result
View All Result