ଓଡ଼ିଶା ତାଜା ନ୍ୟୁଜ (୨୮ ମଇ ଶୁକ୍ରବାର ) ଭୁବନେଶ୍ୱର :- ୟାସ ବାତ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ମିଳିବ ୫ଶହ କୋଟିର କେନ୍ଦ୍ରୀୟ ସହାୟତା । ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିବ । ବାତ୍ୟା ସହ୍ୟ କରି ପାରୁଥିବା ବିଦ୍ୟୁତ ବ୍ୟବସ୍ଥା ଓ ସାମୁଦ୍ରିକ ଜୁଆରକୁ ରୋକିବା ଲାଗି ବନ୍ଧ ର୍ନିମାଣ ପାଇଁ ଦାବି ରଖିଛନ୍ତି ରାଜ୍ୟ ସରକାର। ସାମୁଦ୍ରିକ ଝଡ଼ ୟାସ୍ ଯିବାର ଦିନକ ପରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦି ଆକାଶ ମାର୍ଗରୁ ବେଶୀ ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସ୍ଥିତି ଅନୁଧ୍ୟାନ ସହ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଓ ରାଜ୍ୟ ପାଇଁ ୫ ଶହ କୋଟି ଟଙ୍କାର ସହାୟତା ଘୋଷଣା କଲେ ।
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ । ତାପରେ ଅନୁଷ୍ଠିତ ହୋଇଥିଲା ବାତ୍ୟା ୟାସର ସମୀକ୍ଷା ବୈଠକ । ଘର ଭାଙ୍ଗିବାଠୁ ଆରମ୍ଭ କରି ଚାଷ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ଓ ରାସ୍ତାଘାଟକୁ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ମୁଷଳଧାରାରେ ବର୍ଷା, ଏହାକୁ ନେଇ କିଛି ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ ସମୁଦ୍ର ଜୁଆର ମାଡି ଯାଇ ଅନେକ ଗାଁ ଜଳମଗ୍ନ ହେବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା । ଏ ସଂପର୍କିତ ୮ ମିନଟର ଭିଡ଼ିଓ ପ୍ରଧାନମନ୍ତ୍ରୀଙ୍କୁ ଦେଖା ଯାାଇଥିଲା । ତେବେ ବାତ୍ୟା କ୍ଷୟୟତି ବାବଦକୁ କେନ୍ଦ୍ରକୁ କୌଣସି ଅର୍ଥ ମଗାଯାଇନଥିବା ରାଜ୍ୟ ସରକାରଙ୍କ ପକ୍ଷର କୁହାଯାଇଛି ।