ଓଡ଼ିଶା ତାଜା ନ୍ୟୁଜ୍(୮ ଜାନୁଆରୀ ଶୁକ୍ରବାର )ପାରଳାଖେମୁଣ୍ଡି :- କୋରାପୁଟ ଜିଲ୍ଲାର ଦାମନଯୋଡିଠାରେ ଅବସ୍ଥାପିତ ନାଲକୋ ପ୍ରକଳ୍ପର ଆଜି ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରକଳ୍ପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଇଂ ରବି ଶଙ୍କର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ଵୀପ ପ୍ରଜ୍ବଳନ କରିଥଲେ। ପ୍ରକଳ୍ପର ବିଭିନ୍ନ ବିଭାଗର ମହା ପ୍ରବନ୍ଧକ , ସି ଆଇ ଏସ ଏଫ୍ କମାଣ୍ଡାଣ୍ଟ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ତର୍ଜାତୀୟ ବଜାରରେ ଆଲୁମିନିୟମ ଦର ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ପ୍ଳକଳ୍ପ ଅଧିକ ଲାଭବାନ ହେବ , ମେ ମାସ ସୁଧା କଷ୍ଟିକ ସୋଡା ପ୍ଲାଣ୍ଟ ଉତ୍ପାଦନକ୍ଷମ ହେବ ଓ କରୋନା କାଳରେ ମଧ୍ୟ ଉତ୍ପାଦନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସମ୍ପର୍କରେ ଶ୍ରୀ ଦାସ ବିଶଦ ବିବରଣୀ ପ୍ରଦାନ କରିଥିଲେ ।
ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ କହିଥିଲେ। ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଉପ ମହପ୍ରବନ୍ଧିକା ପ୍ରିୟଙ୍କା ରଏ ସି ଏମ ଡି ଶ୍ରୀଧର ପାତ୍ରଙ୍କ ପ୍ରେରିତ ବାର୍ତ୍ତା ପଠନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନାଲକୋର ସ୍ବୀକୃତି ପ୍ରାପ୍ତ ସମସ୍ତ ସଂଗଠନ ଓ ଠିକା କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ସମେତ ଗଣମାଧ୍ୟମ ସଦସ୍ୟମାନେ ଉପସ୍ଥିତ ଥିଲେ । ନାରୀଙ୍କୁ ସମ୍ମାନ ଜଣାଇ ପ୍ରକଳ୍ପ ଚତୁପାର୍ଶ୍ୱର କେତେକ ଗ୍ରାମର ବୃଦ୍ଧା ମହିଳା ମାନଙ୍କୁ କମ୍ବଳ, ଛତା, ମିଠା ଆଦି ପ୍ରଦାନ କରାଯାଇଥିଲା । ସେହିଭଳି ନାଲକୋର ଅଲିଅଳି ଝିଅ ମାନଙ୍କୁ ମଧ୍ୟ ପୁରସ୍କୃତ କରଯାଇଥିଲା ।
ଖଣି ଓ ବିଶୋଧନ ପ୍ରକଳ୍ପରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦକ୍ଷତା ଓ ନିଷ୍ଠାପରତାକୁ ଦୃଷ୍ଟିରେ ରଖି କେତେକ କର୍ମଚାରୀଙ୍କୁ ଅନୁରୋଧ ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଥିଲା । କରୋନା ଭିତିକ ନିୟମାବଳୀ ଅବଲମ୍ବନ କରି କାର୍ଯ୍ୟକ୍ରମକୁ ସୀମିତ ସମୟ ମଧ୍ୟରେ ସମ୍ପାଦନା କରାଯାଇଥିଲା । କାର୍ଯ୍ୟକ୍ରମକୁ ପ୍ରକଳ୍ପର ବରିଷ୍ଠ କର୍ମଚାରୀ ନିର୍ମଳ ରାଉତ ପରିଚାଳନା କରିଥିବା ବେଳେ ଉପ ମହାପ୍ରବନ୍ଧକ ଶଶାଙ୍କ ଶେଖର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । (ଗରୁଡ଼ ଧ୍ଵଜ ଚୌଧୁରୀ)