ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) (ନି.ପ୍ର ) :- ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଡିଭିଜନାଲ କଲଚରାଲ୍ ଆସୋସିଏସନ୍ ଅନୁକୁଲ୍ୟରେ ଆୟୋଜିତ ଆନ୍ତଃ-ରେଳ ମଣ୍ଡଳ ସାଂସ୍କୃତିକ ପ୍ରତିଯୋଗିତା (ସଙ୍ଗୀତ) ୨୦୨୫ ଆଜି ଖୋର୍ଦ୍ଧାରୋଡ ସ୍ଥିତ ରେଲୱେ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ଉଜ୍ଜ୍ୱଳ ସଙ୍ଗୀତ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। ଖୋର୍ଦ୍ଧାରୋଡ, ସମ୍ବଲପୁର ଓ ୱାଲଟିୟର ରେଳ ମଣ୍ଡଳର ସାଂସ୍କୃତିକ ଦଳଗୁଡ଼ିକ ସହିତ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର ସାଂସ୍କୃତିକ ଦଳଗୁଡ଼ିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।

ଅଂଶ ଗ୍ରହଣକାରୀ ମାନେ ବିଭିନ୍ନ ପ୍ରକାରର ସଙ୍ଗୀତ ପ୍ରଦର୍ଶନ କରିଥିଲେ, ଯାହା ରେଳବାଇ ଭାଇଚାରା ମଧ୍ୟରେ ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପ୍ରତିଫଳିତ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଶ୍ରୀ ପ୍ରଦୀପ କୁମାର ବେହରା ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ମହିଳା କଲ୍ୟାଣ ସଂଗଠନର ଉପ ସଭାପତି ଶ୍ରୀମତୀ ଲିନାଶ୍ରୀ ବେହେରା ଏବଂ ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଭିତ୍ତିଭୂମି)ଶ୍ରୀ ଦିବ୍ୟଜ୍ୟୋତି ମଣ୍ଡଳ ସାମିଲ ହୋଇଥିଲେ।















