ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସରକାର ଗାଁ ଗାଁରେ ବିଦ୍ୟୁତ ସେବା ପହଞ୍ଚାଇବା ନେଇ ବିଭିନ୍ନ ଯୋଜନା କରୁଥିବା ବେଳେ ଆଜି ବି ବିଦ୍ୟୁତ ଆଲୋକରୁ ବଞ୍ଚିତ ରହିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ବ୍ଲକ୍ ପୁରୁଣାପାଣି ପଞ୍ଚାୟତ ଅନ୍ତର୍ଗତ କୁମୁଟିପଙ୍କାଳ ଗାଁ। ଗାଁରେ ଶହେରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୩୫ରୁ ଅଧିକ ପରିବାର ବିଦ୍ୟୁତ ସଂଯୋଗ ଅଭାବରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବିଦ୍ୟୁତ ସେବା ନଥିବାରୁ ଗାଁର ଛାତ୍ରଛାତ୍ରୀଙ୍କ ପାଠପଢ଼ାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଓ ଦୈନନ୍ଦିନ ଜୀବନଯାପନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଅସୁବିଧା ହେଉଛି। ଆଧୁନିକ ଯୁଗରେ ବିଦ୍ୟୁତ ଭଳି ମୌଳିକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ରହିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ବାହାରତମା ଗାଁରେ ବିଦ୍ୟୁତ ସଂଯୋଗ ରହିଛି। କୁମୁଟିପଙ୍କାଳ ଗାଁକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ଖୁଣ୍ଟ ମଧ୍ୟ ପୋତାଯାଇଥିଲା। କିନ୍ତୁ ଆବଶ୍ୟକ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବାରୁ ଏଯାଏଁ ଗ୍ରାମକୁ ବିଦ୍ୟୁତ ସେବା ମିଳିପାରିନାହିଁ। ଫଳରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଅଧାରେ ଅଟକି ରହିଥିବା ଅଭିଯୋଗ ହୋଇଛି ।

ଏ ନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଅଧାପନ୍ତରିଆ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରି ଗାଁକୁ ବିଦ୍ୟୁତ ସଂଯୋଗ ଯୋଗାଇଦେବାକୁ ଦାବି କରିଛନ୍ତି । ପ୍ରଶାସନ ଓ ବିଦ୍ୟୁତ ବିଭାଗ ଏହି ସମସ୍ୟାକୁ ଗୁରୁତ୍ୱ ଦେଇ କେବେ ପଦକ୍ଷେପ ନେଉଛନ୍ତି, ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି ।














