ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ସମୁଦ୍ର ଅଶାନ୍ତ । ବଡ ବଡ ଲହଡି ସାଙ୍ଗକୁ କୂଳ ଲଙ୍ଘୁଛି । କୋହଲିଆ ପବନ ସାଙ୍ଗକୁ ମେଘୁଆ ଆକାଶ । ଜନ ସାଧାରଣଙ୍କ ମନରେ ବାତ୍ୟା ମୋନ୍ଥା । ଖାଁ ଖାଁ ବେଳାଭୂମି । ରାସ୍ତାଘାଟ ଜନଶୂନ୍ଯ ହେବାକୁ ଲାଗିଛି । ଜିଲ୍ଲା ପ୍ରଶାସନ ସତର୍କ ରହିଛି । ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସମୁଦ୍ର ସ୍ନାନ ଉପରେ ଲାଗିଛି କଟକଣା । ପ୍ରଶାସନର ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି । ସମୁଦ୍ରକୂଳରେ ରହିଥିବା ହୋଟେଲ ପର୍ଯ୍ୟଟକ ମାନଙ୍କୁ ମଧ୍ଯ ସତର୍କ ରହିବା ପାଇଁ କୁହାଯାଇଛି । ସହରର ତଳି ଅଞ୍ଚଳରରେ ବର୍ଷାଜଳ ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବା ପାଇଁ ପ୍ରସ୍ତୁତ ଅଛନ୍ତି ଅଗ୍ନିଶମ ବିଭାଗ ବାହିନୀ ସହ ହେଭି ମୋଟର ପମ୍ପ ।

ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ମୋନ୍ଥା । ସମୁଦ୍ର ସ୍ନାନ ଉପରେ ଲାଗିଲା କଟକଣା, ହାଇ ଆଲର୍ଟରେ ପୁରୀ ଜିଲ୍ଲା ପ୍ରଶାସନ । ମୋନ୍ଥା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଏହା ପରେ ଉତ୍ତର- ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ୨୮ ତାରିଖ ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ସନ୍ଧ୍ୟା କିମ୍ବା ରାତିରେ କାକିନାଡା ପାଖାପାଖି ଅତିକ୍ରମ କରିବାର ସମ୍ଭାବନ ରହିଛି । ଫଳରେ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।.
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କହିଛନ୍ତି ବାତ୍ୟା ମୋନ୍ଥାକୁ ନେଇ ସତର୍କ ରହିଛି ପୁରୀ ଜିଲ୍ଲା ପ୍ରଶାସନ। ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି । ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ଉପରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଲଗାଯାଇଛି । ସମୁଦ୍ରରେ କୌଣସି ଅଘଟଣ ଘଟିଲେ ଉଦ୍ଧାର କାର୍ଯ୍ୟ ପାଇଁ ଲାଇଫ ଗାର୍ଡମାନଙ୍କୁ ମୁତୟନ କରାଯାଇଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ, ନିଷ୍କାସନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ବ୍ୟବସ୍ଥା କରାଯାଇଛି ।















