କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହେଉଥିବା ବିଶ୍ବ ପ୍ରତ୍ନତତ୍ତ୍ବ କଂଗ୍ରେସର ଦଶମ ଅଧିବେଶନ ଏଥର ଅଷ୍ଟ୍ରେଲିଆର ଡରଓ୍ବିନ ଠାରେ ଆୟୋଜିତ ହୋଇଥିବା ବେଳେ କଳାହାଣ୍ଡି ମା ମାଣିକେଶ୍ବରୀ ବିଶ୍ବ ବିଦ୍ୟାଳୟର ଇତିହାସ ପ୍ରଧ୍ୟାପକ ଡଃ ନଳିନୀ କାନ୍ତ ରଣା ଏହି ଅଧିବେଶନରେ ଯୋଗଦାନ କରିଥିଲେ । ପୁରାତନ ସଭ୍ୟତା,ସଂସ୍କୃତିର ପୁନଃରୁଦ୍ଧାର ସହ ପରିବର୍ତ୍ତନଶୀଳ ଦୁନିଆରେ ପ୍ରତ୍ନତତ୍ତ୍ବର ଭୂମିକା ଉପରେ ନିଜସ୍ୱ ଗବେଷଣାତ୍ମକ ସାରଗର୍ଭକ ତଥ୍ୟ ଉପସ୍ଥାପନ କରି ଡଃ ରଣା ବେଶ୍ ପ୍ରଂଶସିତ ହୋଇଥିଲେ ।
ଅଷ୍ଟ୍ରେଲିଆର ଚାର୍ଲସ ଡରଓ୍ବିନ ବିଶ୍ବବିଦ୍ୟାଳୟର ସହଭାଗୀତାରେ ଫ୍ଳିଣ୍ଡର୍ସ ବିଶ୍ବବିଦ୍ୟାଳୟ ଦ୍ଵାରା ଜୁନ୍ ୨୨ ରୁ ୨୮ତାରିଖ ପର୍ଯ୍ୟନ୍ତ ଆୟୋଜିତ ଉକ୍ତ ଅଧିବେଶନରେ ବିଶ୍ବର ପ୍ରାୟ ୭୦ ଟି ଦେଶର ପ୍ରାୟ ୨୨୦୦ ପ୍ରତିନିଧି ଯୋଗ ଦେଇ ସେମାନଙ୍କ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ବିଶ୍ବ ପ୍ରତ୍ନତତ୍ତ୍ବ କଂଗ୍ରେସର ତୃତୀୟ ଅଧିବେଶନ ୧୯୯୪ ମସିହାରେ ଭାରତର ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ବେଳେ ପରବର୍ତ୍ତୀ ୧୧ତମ ଅଧିବେଶନ ଆଫ୍ରିକୀୟ ଦେଶରେ ଆୟୋଜିତ ହେବାର ସମ୍ଭାବନା ରହିଛି ।














