No Result
View All Result
ଗତ ୨୦୧୬ ମସିହାରୁ କଟକ ବଡଡାକ୍ତରଖାନାରେ ନିରାଶ୍ରୟ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ୱାର୍ଡ ଖୋଲାଯାଇଛି
୦୮ ଫ୍ରେବୁଆରି ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- କଟକ ନିରାଶ୍ରୟମାନଙ୍କର ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି। କେହି କେହି ରାସ୍ତାକଡ, ଗଛମୂଳ ଏବଂ ଆଉ କେହି କେହି କଟକ ବଡଡାକ୍ତରଖାନାର ବାରଣ୍ଡା ଓ ୱାର୍ଡରେ ତଳେ ଶୋଇ ଜୀବନ ବିତାଉଛନ୍ତି। ଏମାନଙ୍କୁ ଆଶ୍ରୟ ଦେବା ପାଇଁ ଜିଲ୍ଲା ପ୍ରଶାସନର କୌଣସି ଉଦ୍ୟମ ମଧ୍ୟ ନାହିଁ। ସରକାରଙ୍କ ପକ୍ଷରୁ ନିରାଶ୍ରୟମାନଙ୍କୁ ଥଇଥାନ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଛି। ମାତ୍ର ଯୋଜନାଗୁଡିକ କେବଳ କାଗଜକଲମରେ ସୀମିତ ଥିବା ଲକ୍ଷ୍ୟ କରାଯାଉଛି। କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଡାକ୍ତରଖାନାରେ ନିରାଶ୍ରୟମାନଙ୍କ ପାଇଁ ସ୍ଵତନ୍ତ୍ର ୱାର୍ଡ ଖୋଲାଯାଇଛି ।
ହେଲେ ଏମାନଙ୍କ ପାଇଁ ଯେତିକି ବେଡ ତା’ଠାରୁ ତିନିଗୁଣ ଅଧିକ ନିରାଶ୍ରୟ ରୋଗୀ ଅଛନ୍ତି। ଯାହାକି କଟକ ବଡଡାକ୍ତରଖାନା କର୍ତ୍ତୃପକ୍ଷଙ୍କର ଚିନ୍ତାର କାରଣ ପାଲଟିଛି । ଅସହାୟ ରୋଗୀଙ୍କ ପାଇଁ ଖୋଲାଯାଇଛି ଆଶ୍ରୟ ୱାର୍ଡ । ହେଲେ ଏହି ୱାର୍ଡ ଏବେ ନିଜେ ଅସହାୟ । କେହି କେହି ସୁସ୍ଥ ହୋଇ ଡାକ୍ତରଖାନାରୁ ଛାଡ ପାଉଥିଲାବେଳେ ଏମାନଙ୍କୁ କେହି ନେଉନାହାନ୍ତି କିମ୍ବା ପ୍ରଶାସନ ପକ୍ଷରୁ ଥଇଥାନ କେନ୍ଦ୍ରକୁ ପଠାଯାଉନାହିଁ । ରୋଗୀ ସୁସ୍ଥ ହୋଇ ଦୀର୍ଘଦିନ ଧରି ବିଭିନ୍ନ ୱାର୍ଡର ବାରଣ୍ଡାରେ ଦିନ ବିତାଉଛନ୍ତି । ଏପରିକି କେତେକ ଅସହାୟ ବ୍ୟକ୍ତି ଅଛନ୍ତି ଯେଉମାନଙ୍କର ପରିଚୟ ମଧ୍ୟ ମିଳିପାରୁନାହିଁ ।
ମେଡିକାଲ ଏବେ ଏମାନଙ୍କର ସ୍ଥାୟୀ ଜରାଶ୍ରମ ପାଲଟିଛି । ଗତ ୨୦୧୬ ମସିହାରୁ କଟକ ବଡଡାକ୍ତରଖାନାରେ ନିରାଶ୍ରୟ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ୱାର୍ଡ ଖୋଲାଯାଇଛି । ପ୍ରଥମେ ସର୍ଜରୀ ବିଭାଗ ଓ ପରେ ଅର୍ଥୋପେଡିକ , ମେଡ଼ିସିନ, ପ୍ରସୂତି ଓ ମାନସିକ ବିଭାଗରେ ନିରାଶ୍ରୟ ରୋଗୀଙ୍କ ପାଇଁ ୱାର୍ଡ ଖୋଲାଗଲା । ଏବେ ଅର୍ଥୋପେଡିକ ବିଭାଗରେ ୧୫ଟି ବେଡ ଥିଲାବେଳେ ରହିଛନ୍ତି ୩୪ ଜଣ। ସେହିଭଳି ସର୍ଜରୀ ବିଭାଗରେ ୨୧ଟି ବେଡ ଥିଲାବେଳେ ରହିଛନ୍ତି ୩୩, ମେଡ଼ିସିନ ବିଭାଗରେ ଏମାନଙ୍କ ପାଇଁ ୩୦ଟି ବେଡ ଥିଲାବେଳେ ରହିଛନ୍ତି ୯୯ ଜଣ । ତିନିଗୁଣ ଅଧିକ ରୋଗୀ ରହୁଥିଲାବେଳେ ଏମାନଙ୍କୁ ଅନ୍ୟତ୍ର ନିଆଯାଉନାହିଁ। ସୁସ୍ଥ ହୋଇଯାଇଥିବା ନିରାଶ୍ରୟ ରୋଗୀମାନଙ୍କ ପାଇଁ ସୁଭଦ୍ରାପୁର, ଜଗତପୁର ଓ ୪୨ମୌଜାରେ ତିନିଟି ନିରାଶ୍ରୟ ଆଶ୍ରମ ଖୋଲାଯାଇଥିଲାବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କୁ ଆଶ୍ରୟସ୍ଥଳୀକୁ ନିଆଯାଇପାରୁନାହିଁ ।

No Result
View All Result