No Result
View All Result
୧୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା / ଗଣିଆ :-> ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଠାରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଛି। ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ମୁଳ ନିକଟସ୍ଥ ଖଳଖଳା ସେତୁ ନିକଟ ବଡ ରାଉଳ ପୀଠରେ ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ପାଇଁ ପୂଜାର୍ଚ୍ଚନା ହୋଇଛି ।ରଥ ନିର୍ମାଣ ପାଇଁ ଆବଶ୍ୟକ ରଥକାଠ କଟା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ୩ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ,ମହାପ୍ରସାଦ , ମାହାର୍ଦ୍ଦ ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ନେଇ ନୟାଗଡ଼ ବନବିଭାଗ ଜରିଆରେ ଏକ ପ୍ରତିନିଧିଦଳ ମା” ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ପହଁଚିବା ପରେ ଜଗନ୍ନାଥଦଳ ତରଫରୁ ସନ୍ଥସେବକ ଲଳିତ ଦାସଙ୍କ ନେତୃତ୍ୱରେ ନାମସଂକୀର୍ତନ ଦ୍ୱାରା ପାଛୋଟି ନେଇଥିଲେ ।

ଶ୍ରୀମନ୍ଦିର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ରବୀନ୍ଦ୍ର ନାଥ ଦାଶ , ବରିଷ୍ଠ ରଥ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ଠାରୁ ନୟାଗଡ଼ ଡିଏଫଓ ଲାଗିମାଳ ଓ ମାହାର୍ଦ୍ଦ ଗ୍ରହଣ କରିଥିଲେ । ନୟାଗଡ଼ ବନଖଣ୍ଡରୁ ରଥକାଠ କଟା ପର୍ବ ଆରମ୍ଭ ହୋଇ ଆଗାମୀ ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମେ ରଥକାଠ ପୁରୀରେ ପହଁଚିଥାଏ ।ସରସ୍ୱତୀ ପୂଜା ଦିନ ରଥ ପାଇଁ ଓଟି ୧୨ଫୁଟ ଲମ୍ବର ଧଉରା କାଠ ଶ୍ରୀମନ୍ଦିର କାଯ୍ୟାଳୟ ଠାରେ ଅନୁକୂଳ ପୂଜା ହୋଇଥାଏ ।

ପରେ ଶ୍ରୀରାମନବମୀ ତିଥିରେ କଟକ ଖପୁରିଆ ସ୍ଥିତ କରତକଳରେ ବିଧିବଦ୍ଧ ଭାବେ ରଥକାଠ ଚିରଟ ଅନୁକୂଳ ହୁଏ । ପରେ ଅକ୍ଷୟ ତୃତୀୟା ତିଥିରେ ବଡ଼ଦାଣ୍ଡରେ ରଥ ନିର୍ମାଣ କାମ ଅନୁକୂଳ ହୋଇଥାଏ ।ସାଧାରଣତଃ ପୂଜାର୍ଚ୍ଚନା ହୋମ କାଯ୍ୟ କରାଯାଇ ଠାକୁରାଣୀଙ୍କ ପିଠରୁ ଆଜ୍ଞାମାଳ ନିଆଯାଇ ରଥ ନିର୍ମାଣ ନିମିତ୍ତ ଧଉରା ୩୮୫ଖଣ୍ଡ ,ଅସନ ୩୩୨ଖଣ୍ଡ , ସିମିଳି ୩ଖଣ୍ଡ ,ଫାସୀ ୭୨ଖଣ୍ଡ ପ୍ରଜାତିର ରଥକାଠ ବୁଧବାର ଠାରୁ ଚିହ୍ନଟ କରିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୧୪ ଖଣ୍ଡ କାଠ ଦରକାର ହେଉଥିବା ବେଳେଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୧ ଖଣ୍ଡ କାଠ ବଳକା ରହିଛି ।ଚଳିତ ବର୍ଷ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିବାରୁ ଏହିକାଠ ନୟାଗଡ଼ ବନଖଣ୍ଡ ତରଫରୁ ଯୋଗାଇଦିଆଯିବ । ମା ବଡ଼ରାଉଳଙ୍କ ପୀଠରେ ଏହି ପୁଜାର୍ଚନା କାଯ୍ୟକ୍ରମରେ ଜିଲା ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ ପୌରହିତ କରିଥିବା ବେଳେ ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ , ଗଣିଆ ରେଞ୍ଜର , ଛାମୁଣ୍ଡିଆ ରେଞ୍ଜରଙ୍କ ସମେତ ନୟାଗଡ଼ ଜିଲ୍ଲାର ବିଭିନ୍ନ ବନବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
No Result
View All Result