No Result
View All Result
୦୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ସର୍ବ ଭାରତୀୟ ସ୍ତରରେ ଆୟୋଜିତ ନିଟ୍ ୨୦୨୪ ପ୍ରବେଶିକା ପରୀକ୍ଷାରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ବିଜିପୁର ପଞ୍ଚାୟତର ମାଳିବେରେଣୀ ଗ୍ରାମର ବିରଞ୍ଚି ଦୁଇ ଜାଆଁଳା ପୁଅ ସତ୍ୟଜିତ ଦଳେଇ ଓ ବିଶ୍ୱଜିତ୍ ଦଳେଇ ସଫଳତା ହାସଲ କରିଛନ୍ତି ।
ବାପା ବିରଞ୍ଚି କୁମାର ଦଳେଇ ଭାପୁର ବଜାରରେ ଗୋଟିଏ ଜେରକ୍ସ ଦୋକାନରୁ ଦୁଃଖ କଷ୍ଟରେ ୬ପ୍ରଣୀର କୁଟୁମ୍ବକୁ ନେଇ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ତାଙ୍କର ପରିବାର କହିଲେ ସ୍ଵାମୀ ସ୍ତ୍ରୀ, ଦୁଇଟି ଝିଅ ଓ ଦୁଇଟି ପୁଅକୁ ନେଇ ତାଙ୍କର ହସ ଖୁସିର ସଂସାର । ବିରଞ୍ଚିଙ୍କର ଦୁଇ ଝିଅ ଓ ଦୁଇ ପୁଅ ମେଧାବୀ ଛାତ୍ରଛାତ୍ରୀ ଭାବେ ଭାପୁର ବ୍ଲକ ଅଂଚଳରେ ବେଶ ଜଣାଶୁଣା ।
ବଡ ଝିଅ ଦିପ୍ତିମୟୀ ନିକଟରେ ପ୍ରାଥମିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବାବେଳେ ସାନ ଝିଅ ଜ୍ୟୋତିର୍ମୟୀ ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଧ୍ୟୟନ କରନ୍ତି । ସେହିପରି ଦୁଇ ଜାଆଁଳା ପୁଅ ସତ୍ୟଜିତ ଓ ବିଶ୍ୱଜିତ୍ ନିଟ୍ ପ୍ରବେଶିକା ପରୀକ୍ଷାରେ କୃତ କାର୍ଯ୍ୟ ହୋଇ ଭାପୁର ବ୍ଲକ ପାଇଁ ଗର୍ବ ଗୌରବ ଆଣି ଦେଇଛନ୍ତି ।
ସତ୍ୟଜିତ ସମ୍ବଲପୁର ଜିଲ୍ଲାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନର ପାଠ ପଢ଼ିବା ପାଇଁ ନାମ ଲେଖାଇଥିବା ବେଳେ ବିଶ୍ୱଜିତ୍ ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନାମ ଲେଖାଇଛନ୍ତି । କଠିନ ପରିଶ୍ରମ ଓ ଦୃଢ ଆତ୍ମ ବିଶ୍ବାସ, ଶିକ୍ଷକଙ୍କ ପ୍ରେରଣା ଓ ପରିବାର ବର୍ଗଙ୍କ ଆର୍ଶୀବାଦ ପାଇଁ ଆଜି ଦୁଇ ଜାଆଁଳା ଭାଇ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ ସାକ୍ଷାତକାରରେ କହିଛନ୍ତି। ଦୁଇ ପୁଅର ସଫଳତା ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ପ୍ରଶଂସାର ସୁଅ ଛୁଟିଛି ।

No Result
View All Result