No Result
View All Result
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ଫେୟାର ପ୍ରାଇସ ସପ ଡିଲର୍ସ ଫେଡେରେସନ ଅର୍ଥାତ ଓଡ଼ିଶା କଣ୍ଟ୍ରୋଲ ଦୋକାନୀ ସଙ୍ଘର କର୍ମକର୍ତ୍ତାମାନଙ୍କର ଏକ ପ୍ରତିନିଧି ମଣ୍ଡଳ ସଭାପତି ନଗେନ୍ଦ୍ର ନାଥ ଜେନାଙ୍କର ନେତୃତ୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଏଠାରେ ସକ୍ଷାତ କରିଥିବା ଜଣାଯାଇଛି। ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସରକାର ଶାସନକୁ ଆସିବା ପରେ କଣ୍ଟ୍ରୋଲ ଦୋକାନୀମାନଙ୍କର କାର୍ଯ୍ୟକାଳକୁ ଆସନ୍ତା ଦେଢ଼ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଏବଂ ଯୋଗାଣ ମନ୍ତ୍ରୀଙ୍କ ନିକଟରେ ସଙ୍ଘ ତରଫରୁ କୃତଜ୍ଞତା ପ୍ରକାଶ କରିବା ସାଙ୍ଗକୁ ଏହି ମହତ ନିଷ୍ପତ୍ତି ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଥିଲେ ।
ଏହି ଅବସରରେ ସଙ୍ଘ ତରଫରୁ ଶ୍ରୀ ମାଝି ଏବଂ ଶ୍ରୀ ପାତ୍ରଙ୍କୁ ଆଠ ଦଫା ବିଶିଷ୍ଟ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବୀପତ୍ରରେ ସ୍ଥାନ ପାଇଥିବା ଦାବୀଗୁଡ଼ିକ ମଧ୍ୟରେ ଅନ୍ୟ ରାଜ୍ଯ ପରି ଓଡ଼ିଶାରେ କଣ୍ଟ୍ରୋଲ ଆଇନ ୨୦୧୬ରୁ ଧାରା ୪ କୁ ଉଚ୍ଛେଦ କରାଯାଇ ଘରୋଇ ଡିଲରମାନଙ୍କୁ ସାମିଲ କରାଯିବା, ଡିଲରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ପୁନଃ ନିଯୁକ୍ତି କରାଯିବା ସହ ବକେୟା ଅର୍ଥ ସହସା ପ୍ରଦାନ କରାଯିବା, ପିଓଏସ୍ ମେସିନରେ ଗୋଟିଏ ଥର ଆଙ୍ଗୁଠି ଛାପ ନିଆଯାଇ ରାସନ ସାମଗ୍ରୀ ଦିଆଯିବାର ବ୍ୟବସ୍ଥା କରାଯିବା,
ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଇ-କେୱାଇସି କାର୍ଯ୍ୟ ଚାଲୁ ରହିଥିବା ପରିପ୍ରେକ୍ଷୀରେ ପିଓଏସ୍ ମେସିନ ସହିତ ଓଜନ ମାପ ଯନ୍ତ୍ରର ସଂଯୋଗୀକରଣକୁ ଖାଉଟିମାନଙ୍କର ସାମୁହିକ ହିତକୁ ଦୃଷ୍ଟିରେ ରଖି ଆସନ୍ତା ଅପ୍ରେଲ ୨୦୨୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରଥମ ଅଶୀ ଭାଗର ବଣ୍ଟନ ସହିତ ଅଗ୍ରୀମ କମିଶନ ରାଶିକୁ ସଂଯୁକ୍ତ କରାଯାଇ ପ୍ରଦାନ କରାଯିବା, ବର୍ତ୍ତମାନ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ଅହେତୁକ ମୂଲ୍ୟ ବୃଦ୍ଧି ହେତୁ ପରିବାର ପ୍ରତିପୋଷଣ ଦିଗରେ ଅସୁବିଧା ସୃଷ୍ଟି ହେଉଥିବା ଦୃଷ୍ଟିରୁ ଅନ୍ୟ ରାଜ୍ଯମାନଙ୍କ ଭଳି ଏଠାରେ ମଧ୍ଯ ପାରିଶ୍ରମିକ ରାଶିକୁ ଯଥୋଚିତ ବୃଦ୍ଧି କରାଯିବା,
ସଦ୍ୟ ପ୍ରଚଳିତ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟବୀମା ଯୋଜନା ଅଧିନରେ ସମସ୍ତ କଣ୍ଟ୍ରୋଲ ଦୋକାନୀ ଏବଂ ସେମାନଙ୍କର ପରିବାର ବର୍ଗଙ୍କୁ ସାମିଲ କରାଯିବା, ବିଗତ ଦିନରେ ଓଡ଼ିଶାର ସମସ୍ତ ଜିଲ୍ଲାକୁ ଗହମ ଯୋଗାଣ କରାଯାଇଥିଲେ ସୁଦ୍ଧା ପୁରୀ ଜିଲ୍ଲାକୁ ୧୩ ମାସ ହେଲା ଗହମ ଯୋଗାଇ ଦିଆଯାଇନଥିବାରୁ, ତୁରନ୍ତ ପୁରୀ ଜିଲ୍ଲା ପାଇଁ ବକେୟା ଗହମ ପ୍ରଦାନ କରାଯାଇ ଏହି ଗୁରୁତର ସମସ୍ୟାର ସମାଧାନ କରାଯିବା ଆଦି ଅନ୍ତର୍ଭୁକ୍ତ। ଦାବୀଗୁଡ଼ିକୁ ସହୃଦୟତାର ସହିତ ବିଚାର କରିବାକୁ ଉଭୟ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିବା ସଙ୍ଘର ସଭାପତି ନଗେନ୍ଦ୍ର ନାଥ ଜେନା ଏଠାରେ ଗଣମାଧ୍ୟମକୁ ସୂଚାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କଣ୍ଟ୍ରୋଲ ଦୋକାନୀ ମାନେ ବିଭାଗୀୟ ନିର୍ଦ୍ଦେଶାନୁସାରେ ଖାଉଟିମାନଙ୍କର ସ୍ୱାର୍ଥ ପ୍ରତି ସମୁଚିତ ପ୍ରାଧାନ୍ୟ ଦେବା ସହିତ ସଠିକ ଓଜନ ଏବଂ ସାମଗ୍ରୀମାନଙ୍କର ସ୍ଵଚ୍ଛ ବଣ୍ଟନକୁ ସୁନିଶ୍ଚିତ କରିବା ଏବଂ କାର୍ଯ୍ୟ ପ୍ରଣାଳୀରେ ପାରଦର୍ଶିତା ପ୍ରମାଣିତ କଲେ ପର୍ଯ୍ୟାୟ କ୍ରମେ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କର ଦାବୀଗୁଡ଼ିକ ପୂରଣ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେଇଥିବା ଶ୍ରୀ ଜେନା ଦର୍ଶାଇଥିଲେ । ଏହି ପ୍ରତିନିଧି ଦଳରେ ସାମିଲ ଥିବା ସଙ୍ଘର କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଭାପତି ନଗେନ୍ଦ୍ର ନାଥ ଜେନା, ଉପ-ସଭାପତି ଦତ୍ତହରି ସାମଲ, କୋଷାଧ୍ୟକ୍ଷ ସୁଧାଂଶୁ ଦାସ, କାର୍ଯ୍ୟକାରୀ କମିଟି ସଦସ୍ୟ ବୃନ୍ଦ ଯଥା ; ଜଗନ୍ନାଥ ବେହେରା, କରୁଣାକର ବେହେରା, ଶତୃଘ୍ନ ନାୟକ, ନୀଳମଣି ସାହୁ ଏବଂ ରବି ନାରାୟଣ ଜେନା ପ୍ରମୁଖ ଅନ୍ୟତମ ଥିଲେ ।
No Result
View All Result