No Result
View All Result
ନୀତି ଆୟୋଗ ଦ୍ୱାରା ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ନୀତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ପୋରେଟ୍ ହସ୍ତାନ୍ତରରୁ ରାଜ୍ୟ ସରକାର କ୍ଷାନ୍ତ ରୁହନ୍ତୁ
୦୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତୀୟ ସମ୍ବିଧାନ ଏହାର ନାଗରିକମାନଙ୍କୁ ଜୀବନ ଜିଇଁବାର ଅଧିକାର ପ୍ରଦାନ କରିଛି । ହେଲେ ପ୍ରତିଟି ମଣିଷକୁ ସ୍ଵାସ୍ଥ୍ୟ ସେବା ଯୋଗାଇ ନଦେଲେ ଏହି ମୌଳିକ ଅଧିକାର କାର୍ଯ୍ୟକ୍ଷମ ହେବା ସମ୍ଭବପର ନୁହେଁ । କରୋନା ମହାମାରୀର ମୁକାବିଲା କଲା ବେଳେ ଦେଶ ତଥା ବିଭିନ୍ନ ରାଜ୍ୟର ଦୁର୍ବଳ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ଅତ୍ୟନ୍ତ ସ୍ପଷ୍ଟ ରୂପେ ଦେଶବାସୀଙ୍କ ନିକଟରେ ଉଜାଗର ହୋଇଅଛି ଓ ସେହି ସମୟରେ ଜନସ୍ୱାସ୍ଥ୍ୟ କ୍ଷେତ୍ରର ଅପାରଗତା ସ୍ପଷ୍ଟ ବାରି ହୋଇପଡିଥିଲା । କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ସ୍ଵାସ୍ଥ୍ୟ ସହାୟତା ଦେଶବାସୀଙ୍କୁ ଯୋଗାଇବାରେ ବିଫଳ ହେତୁ ଅନେକ ଲୋକ ଚିକିତ୍ସା ବିନା ମୃତ୍ୟୁବରଣ କରିଥିଲେ ।
ସେହି ସମୟରେ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ହୋଇଥିବା ଲୁଟର କଦର୍ଯ୍ୟ ଅନୁଭୂତି ସତ୍ତ୍ୱେ ନୀତି ଆୟୋଗଙ୍କ ନିର୍ଦ୍ଦେଶରେ ପରିଚାଳିତ ହୋଇ ସରକାର ଘରୋଇ ପୁଞ୍ଜିନିବେଶ ନିବେଶକୁ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ବଢାଇବାକୁ ଜିଲ୍ଲାସ୍ତରୀୟ ଡାକ୍ତରଖାନା ସବୁକୁ ଘରୋଇକରଣ କରିବାକୁ ଚେଷ୍ଟିତ ବୋଲି ଜନସ୍ୱାସ୍ଥ୍ୟ ଅଭିଯାନ, ଜନ ଆନ୍ଦୋଳନ ମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ ଓ ଜନସ୍ୱାସ୍ଥ୍ୟ ଅଧିକାର ମଞ୍ଚ ପକ୍ଷରୁ ଭୁବନେଶ୍ୱର ଲୋହିଆ ଏକାଡେମୀ ପରିସରରେ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ଅଧିକାର ସମ୍ମିଳନୀରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ବିଶ୍ୱ ଜନସ୍ୱାସ୍ଥ୍ୟ ଅଭିଯାନର ଭାରତ ପ୍ରତିନିଧି ଅମୂଲ୍ୟ ନିଧି ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଅଧିକାର ସମ୍ମିଳନୀ ଆୟୋଜନ କରାଯିବା ସହ ଜନସ୍ୱାସ୍ଥ୍ୟ ଅଭିଯାନର ରାଜ୍ୟ କମିଟି ବିସ୍ତାରିତ କରାଯାଇଥିଲା । PVTG ପିଲାମାନଙ୍କ ପାଇଁ ୧୨ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ୬୧ କ୍ରେସ ବାବଦରେ ସରକାରଙ୍କ ନିଷ୍ପତ୍ତି ଉପରେ ଉଦବେଗ ପ୍ରକାଶ ପାଇଥିଲା ଏବଂ ଖୁବଶୀଘ୍ର ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର ଉପରେ ସଙ୍ଗଠନ ପକ୍ଷରୁ ପାରିତ ହୋଇ ଏକ ଦାବୀପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ସଚିବଙ୍କ ନିକଟକୁ ପଠାଯିବ ତଥା ଆଗାମୀ ଦିନରେ ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ହେଉଥିବା ବ୍ୟତିକ୍ରମ ଗୁଡିକର ଅନୁଶୀଳନ କରାଯାଇ ଜନସ୍ୱାସ୍ଥ୍ୟ ଅଭିଯାନର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିବେ ବୋଲି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା ।
ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ ଜଗନ୍ନାଥ ଚାଟାର୍ଜୀ, ବାଘାମ୍ବର ପଟ୍ଟନାୟକ, ସୁଧୀର ପଟ୍ଟନାୟକ, ଦେବପ୍ରସାଦ ରାୟ, ନିକୁଞ୍ଜ ଭୁତିଆ, ସୁଦର୍ଶନ ଦାସ, ବିଜୟଲକ୍ଷ୍ମୀ ରାଉତରାୟ, ବିସ୍ମୟ ମହାପାତ୍ର, ସନ୍ଦୀପ ପଟ୍ଟନାୟକ, ତ୍ରିଲୋଚନ ପୁଞ୍ଜି, ଅନ୍ତର୍ଯ୍ୟାମୀ ବରାଳ, କଲ୍ୟାଣ ଆନନ୍ଦ, ବିକ୍ରମ ସ୍ୱାଇଁ, ନମିତା ସାହୁ, କେ. ଭାବନା ରାଓ, ସଦାଶିବ ସ୍ୱାଇଁ, ବିପିନ ବିହାରୀ ବାରିକ, ସବ୍ୟସାଚୀ ମହାନ୍ତି, ବ୍ଲୋରିନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଜ ମତ ପ୍ରଦାନ କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଦେଶର ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଜନସ୍ୱାସ୍ଥ୍ୟ ଅଭିଯାନର ସହ ସଂଯୋଜକ ଡଃ ଋତୁପ୍ରିୟା ଭିଡିଓ କନଫରେସିଂ ଜରିଆରେ ଯୋଗଦେଇ ସରକାର ସବୁ ଲୋକଙ୍କ ପାଇଁ ଗୁଣାତ୍ମକ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଢାଞ୍ଚାଗତ ପରିବର୍ତ୍ତନ ଫଳରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ଦିଗକୁ ଗତି କରୁଛି ବୋଲି ମତ ରଖିଥିଲେ । ଜନସ୍ୱାସ୍ଥ୍ୟ ଅଭିଯାନର ରାଷ୍ଟ୍ରୀୟ ସହ ସଂଯୋଜକ ଗୌରାଙ୍ଗ ମହାପାତ୍ର ସମ୍ମିଳନୀର ସଂଯୋଜନା କରିଥିବା ବେଳେ ଜନସ୍ୱାସ୍ଥ୍ୟ ଅଭିଯାନର ରାଷ୍ଟ୍ରୀୟ କମିଟି ସଦସ୍ୟ ଡଃ ବିଶ୍ଵଜିତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଖାଦ୍ୟ ଅଧିକାର ଅଭିଯାନର ସୁମିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result