No Result
View All Result
୦୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମ କିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୭୨୦ ହିତାଧିକାରୀଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପରେ ୨ୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରେରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସ୍ଥିତି ସମୀକ୍ଷା କରିଛନ୍ତି । ଆଜି ଲୋକସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବିଭାଗର ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଉପସ୍ଥିତିରେ ୨ୟ ପର୍ଯ୍ୟାୟରେ ‘ସୁଭଦ୍ରା’ ପ୍ରଥମ କିସ୍ତି ଅର୍ଥ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯିବା ସଂପର୍କରେ ବୈଷୟିକ ଟିମ୍ ସହିତ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ୧ କୋଟି ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ କିସ୍ତି ପ୍ରଦାନ ପରେ ଅବଶିଷ୍ଟ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ୨୦୨୫ ମାର୍ଚ୍ଚ ୮ ତାରିଖ ପୂର୍ବରୁ ମିଳିବା ନେଇ ଲକ୍ଷ୍ୟ ରହିଛି । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ହିତାଧିକାରୀଙ୍କୁ ଆଗାମୀ ଅକ୍ଟୋବର ୯ ରେ ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ୨ୟ ପର୍ଯ୍ୟାୟରେ ଯେତେ ଅଧିକ ସଂଖ୍ୟକ ସମ୍ଭବ ହିତାଧିକାରୀଙ୍କୁ ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରେରଣ କରାଯିବ, ସେଥି ପାଇଁ ପ୍ରକ୍ରିୟା ଜାରି ରହିଛି । ଅଦ୍ୟାବଧି ସୁଭଦ୍ରାରେ ପ୍ରାୟ ୯୮ ଲକ୍ଷ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି ।
ଆବଶ୍ୟକ ବ୍ୟବସ୍ଥା ପାଇଁ ଅକ୍ଟୋବର ୬ ତାରିଖ ସୁଦ୍ଧା ପ୍ରସ୍ତୁତି ସାରିବାକୁ ସଂପୃକ୍ତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହିତ ଯେଉଁ ହିତାଧିକାରୀମାନେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଅର୍ଥରାଶି ପାଇଛନ୍ତି, ସେମାନଙ୍କ ପାଇଁ ଏକ ମତାମତ ସଂଗ୍ରହ ପ୍ରକ୍ରିୟା( ଫିଡ୍ ବ୍ୟାକ୍ ମନିଟରିଂ) ବ୍ୟବସ୍ଥା କରାଯିବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଥିଲେ । ଏହି ପ୍ରକ୍ରିୟାରେ ପ୍ରଥମ କିସ୍ତି ଅର୍ଥରାଶି ପାଇଥିବା ହିତାଧିକାରୀ କେତେ ଉତ୍ସାହିତ ଅଛନ୍ତି, ଏହି ଆର୍ଥିକ ସହାୟତା ସେମାନଙ୍କ ଜୀବନରେ କିପରି ସହାୟକ ହୋଇଛି ଆଦି ସଂପର୍କରେ ମତାମତ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ତତ୍ ସହିତ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ‘ସୁଭଦ୍ରା’ ସଂପର୍କିତ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । 
No Result
View All Result