୧/ ୧୦ /୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ଚାମ୍ବର ଅଫ କମର୍ସ ତରଫରୁ ଭୁବନେଶ୍ୱର ଗୀତ ଗୋବିନ୍ଦ ସଦନଠାରେ ‘ବିକଶିତ ଓଡ଼ିଶା ବିକଶିତ ଭାରତ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରିଚ୍ ଲାଇଭସ୍ ତଥା ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ତାପସ ରଞ୍ଜନ ପଣ୍ଡାଙ୍କ ସହଯୋଗରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଓଡ଼ିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳାନନ୍ଦ ପତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଛନ୍ତି, ଓଡ଼ିଶାରେ ଉଦ୍ୟୋଗୀ ସୃଷ୍ଠି ହେବାକୁ ମାନସିକତାର ଅଭାବ ନାହିଁ କିନ୍ତୁ ସରକାରୀ ସ୍ତରରେ ନୂତନ ଉଦ୍ୟୋଗୀ ମାନଙ୍କୁ ଯେଭଳି ସହଯୋଗ ମିଳିବ କଥା ତାହା ମିଳୁ ନାହିଁ ।
ବିଶେଷ କରି ସବସିଡି ପାଇବାକୁ ଉଦ୍ୟୋଗୀ ମାନଙ୍କୁ ନିଜ ସଂସ୍ଥା ଛାଡି ବାରମ୍ବାର ସରକାରୀ କାର୍ଯ୍ୟାଳୟ ଦୌଡ଼ିବାକୁ ପଡୁଛି । ଫଳରେ ସେମାନେ ବ୍ୟବସାୟରେ କ୍ଷତି ସହିବା ସହ ହତୋତ୍ସାହ ହୋଇ ପଡୁଛନ୍ତି । ସରକାରୀସ୍ତରରେ ଏସବୁକୁ ଅନଲାଇନ୍ ଜରିଆରେ ସୁଗମ କରାଗଲେ ଓଡ଼ିଶାରେ ଉଦ୍ୟୋଗୀଙ୍କର ଅଭାବ ରହିବ ନାହିଁ । ଏହା ସହ ଅର୍ସେଲ ମିତଲ ଗ୍ରୁପର କର୍ପୋରେଟ ବ୍ୟାପାର ମୁଖ୍ୟ ସୁପର୍ଣ୍ଣା ନନ୍ଦଙ୍କ ଏମଏସଏମଇ କ୍ଲିନିକ୍ ପ୍ରସ୍ତାବ ସଫଳ ଉଦ୍ୟୋଗୀ ସୃଷ୍ଟି କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଥିଲେ । ଏହି କ୍ଲିନିକ୍ ଜରିଆରେ ଉଦ୍ୟୋଗୀ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।