No Result
View All Result
୨୮ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ଅସଦାଚରଣ, ଆକ୍ରମଣ ଏବଂ ଚୋରି ମାମଲାର ବିଚାର କରି ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୭ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତ ଦ୍ଵୟ ହେଲେ ଫୁଲବାଣୀ ଟାଉନଥାନା ଅନ୍ତର୍ଗତ ଫୁଲବାଣୀ ସାହିର ସୁଜିତ୍ କୁମାର ମହାନ୍ତି (୩୪) ଏବଂ ରାଜୀବ ରଣା (୨୪)। ଏହା ସହିତ ସେମାନଙ୍କୁ ୧୪,୫୦୦ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।
ଜରିମାନା ଅନାଦାୟ ଆଉ ଅଧିକ ୨ବର୍ଷ ୧୦ମାସ ୭ଦିନ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲା ବିବରଣୀରୁ ପ୍ରକାଶ ଯେ, ତିନି ନାବାଳକ/ନାବାଳିକା ଭାଇ ଭଉଣୀ ଭଡ଼ା ଘରେ ଶୋଇଥିବାବେଳେ ଅଭିଯୁକ୍ତ ମାନେ ବିଭିନ୍ନ ମାରଣାସ୍ତ୍ର ଧରି ବିଳମ୍ବିତ ରାତ୍ରରେ କବାଟ ବାଡେଇ, ଝରକା ଭାଙ୍ଗି ଗୃହ ଭିତରେ ପ୍ରବେଶ କରି ସେମାନଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିଲେ। ସେମାନଙ୍କ କଥାରେ ରାଜି ନ ହେଲେ ଏସିଡ୍ ପକେଇ ଜୀବନରେ ମାରିଦେବୁ ବୋଲି ଧମକ ଦେଇଥିଲେ ।
ଏହି ସମୟରେ ଚତୁରତାର ସହିତ ଜଣେ ପୀଡ଼ିତା ଚାଇଲ୍ଡ ହେଲ୍ପ ଲାଇନ ୧୦୮୯କୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ। କିଛି ସମୟ ମଧ୍ୟରେ ଚାଇଲ୍ଡ ହେଲ୍ପଲାଇନ ସଦସ୍ୟ ଏବଂ ପୁଲିସ ଆସି ପହଞ୍ଚି ଯାଇଥିଲେ। ପୀଡ଼ିତା ଫୁଲବାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ର ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
No Result
View All Result