No Result
View All Result
୧୭ ସେପ୍ଟେମ୍ବର,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଓ ଗଞ୍ଜାମ ସୀମାରେ ଥିବା ବାଇମାଲା ଗାଁରେ ବିଦ୍ୟୁତ୍ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ରମେଶ ପ୍ରଧାନ(୬୨) । ଏନେଇ ତାଙ୍କ ସାନ ପୁଅ ଆଲେସ ପ୍ରଧାନ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ସୋରଡ଼ା ଥାନା ଗାଜଲବାଡି ପଞ୍ଚାୟତ ବାଇମାଲା ଗାଁଟି ଦାରିଙ୍ଗବାଡି ନିକଟରେ ରହିଛି। ଗାଁରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ରମେଶଙ୍କ ବାଡି ପଟେ ଥିବା ଏକ ଅମୃତଭଣ୍ଡା ଗଛ ଭାଙ୍ଗି ପଡି ବିଦ୍ୟୁତ୍ ତାର ଉପରେ ପଡିଥିଲା। ଫଳରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା। ଏହି ସମୟରେ ରମେଶ କ’ଣ ଶବ୍ଦ ହେଲା ବୋଲି ବାଡି଼କୁ ଯାଇଥିଲେ।
ସେତିକିବେଳେ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚି ବିଦ୍ୟୁତ୍ ବିଭାଗ କର୍ମଚାରୀ ଙ୍କୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାକୁ ଫୋନ କରିଥିଲେ। ହେଲେ କର୍ମଚାରୀ ଜଣକ ଟୋଲଫ୍ରି ନମ୍ବରକୁ ଫୋନ କରିବାକୁ କହିଥିଲେ। ଟୋଲଫ୍ରି ନମ୍ବରକୁ ଫୋନ କରିବାରୁ ନିକଟସ୍ଥ ବିଦ୍ୟୁତ ବିଭାଗକୁ ଫୋନ କରିବାକୁ କହିଥିଲେ। ହେଲେ କେହି ବିଦ୍ୟୁତ କାଟିବା ପାଇଁ ପଦକ୍ଷେପ ନେଇ ନ ଥିବା ରମେଶଙ୍କ ବଡ ପୁଅ ଅପନା ପ୍ରଧାନ ଅଭିଯୋଗ କରିଛନ୍ତି। ତେବେ ପରିବାର ଲୋକ କୌଶଳ କ୍ରମେ ରମେଶଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠି ସ୍ବସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଙ୍ଗଳବାର ରମେଶଙ୍କ ମୃତଦେହ ବ୍ୟବଛେଦ କରାଯିବା ସହ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷେ ପରିବାର ଲୋକ ଘଟଣାର ତଦନ୍ତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। ଏନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ ଫୋନ ରିସିଭ କରି ତୁରନ୍ତ ରମେଶଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ପରାମର୍ଶ ଦେଇଥିବା କହିଛନ୍ତି ଏଥିସହ ସେ କହିଛନ୍ତି ଯେ ବିଭାଗର ଏକ ତଦନ୍ତକାରୀ ଟିମ୍ ପହଞ୍ଚି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
No Result
View All Result