No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାସନାଲ ଗୀତା ମିଶନ ପକ୍ଷରୁ ଏକ ଦୁଇଦିନିଆ “ଗୀତା ଓ ମାନବଧର୍ମ” ଶୀର୍ଷକ ଆଲୋଚନାଚକ୍ର ଶନିବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହଠାରେ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଗୀତା ମିଶନର ସଭାପତି ଡଃ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ଗୀତା ଏକ ଧର୍ମଶାସ୍ତ୍ର ନୁହେଁ, ଏହା ସମଗ୍ର ବିଶ୍ୱର ମନୁଷ୍ୟ ସମାଜର ମାନବୀୟ ସମ୍ବିଧାନ ଅଟେ । ସମଗ୍ର ବିଶ୍ୱକୁ ମାନବଧର୍ମର ଭାବନା ସହିତ ସାମିଲ୍ କରିବା ଗୀତା ଆମକୁ ଶିକ୍ଷା ପ୍ରଦାନ କରିଛନ୍ତି ।
ଗୀତା ହିଁ ମାନବଧର୍ମର ବାସ୍ତବ ପରିପ୍ରକାଶକ ଅଟନ୍ତି । କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଯୋଗେଶ୍ୱର ଶ୍ରୀକୃଷ୍ଣ ଭଗବଦ୍ ଗୀତାରେ ଅର୍ଜୁନଙ୍କୁ ଯେଉଁ ଉପଦେଶ ଦେଇଛନ୍ତି ତାହା ଆଜିର ସମାଜରେ ମଧ୍ୟ ଆବଶ୍ୟକତା ରହିଛି । ଗୀତାର ପ୍ରତ୍ୟେକଟି ଶ୍ଲୋକ ମାନବର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ଅନ୍ୟତମ ଅତିଥି ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର କହିଲେ ଯେ, ଗୀତାକୁ କେବଳ ଶୁଣିଦେଲେ ଚଳିବ ନାହିଁ,
ଏହାର ପ୍ରତ୍ୟେକଟି ଉପଦେଶକୁ ଯଦି ଆମେ ଆମର ଦୈନନ୍ଦିନ ଜୀବନରେ ଉପଯୋଗ କରିପାରିବା, ତାହା ସମାଜର କଲ୍ୟାଣ ହେବା ସଙ୍ଗେ ସଙ୍ଗେ ବ୍ୟକ୍ତିର କଲ୍ୟାଣ ହେବ । ପ୍ରଫେସର ଶକୁନ୍ତଳା ବଳିୟାରସିଂ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବତ୍ ଗୀତା ପ୍ରତି ସେ ଜଣେ ସମର୍ପିତ ବ୍ୟକ୍ତି ବୋଲି କହିଥିଲେ । ସେ ଆହୁରି କହିଲେ ଯେ, ଜୀବନରେ ଆଜି ସେ ଯାହା ହୋଇଛନ୍ତି ଗୀତା ହିଁ ତାଙ୍କର ମାର୍ଗଦର୍ଶକ । ଏହି କାର୍ଯ୍ୟକ୍ରମରେ ଗୀତା ମିଶନର ବହୁ କାର୍ଯ୍ୟକର୍ତ୍ତା ଓ ଗୀତା ପ୍ରତି ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ପୁଣି ଅନୁଷ୍ଠିତ ହେବ ବୋଲି ଡଃ ସ୍ୱାମୀ ଚିଦାନନ୍ଦ କହିଛନ୍ତି ।
No Result
View All Result