୦୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :-> ଦୀର୍ଘ ଦୁଇଦିନ ଧରି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ସମାରୋହ ପାଳିତ ହେବାକୁ ଥିବା ବେଳେ ଆଜି ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ସମୟରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମା’ ଉତ୍ତରାୟଣୀ ମନ୍ଦିର ଠାରୁ ବିଦ୍ୟାଳୟ ପରିସର ପର୍ଯ୍ୟନ୍ତ ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା। ବିଦ୍ୟାଳୟ ପରିସରରେ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରା ଛାତ୍ରଛାତ୍ରୀ ମାନଙ୍କ ଠାରୁ ମଶାଲ ଗ୍ରହଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ନିଜ ସ୍କୁଲ ସମୟରେ ଅଭୁଲା ଦିନର ସ୍ମୃତି ମନେ ପକାଇ ଭାବବିହ୍ଵଳ ହେଉଥିବା ଦେଖିବାକୁ ମିଳିଥିଲା। ଏଥିସହିତ ବହୁ ଦିନ ପରେ ଏପରି ଏକ ସ୍ମରଣୀୟ ଦିନରେ ପୁରୁଣା ସାଙ୍ଗ ସାଥି ଏକାଠି ପାଇ ଭାବର ଆଦାନ ପ୍ରଦାନ କରିଥିଲେ। ମଧ୍ୟାହ୍ନରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା । ଅପରାହ୍ନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ଵାଧୀନା ମଞ୍ଜରୀ ବେହେରାଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡ଼.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଭାବେ ସାଂସଦ ତଥା କିଟ ପ୍ରତିଷ୍ଠାତା ପ୍ରଫେସର ଡ଼.ଅଚ୍ୟୁତ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଡ଼.ସାମନ୍ତ ନିଜ ଅଭିଭାଷଣରେ ସଫଳତାର ଶିଡି ଚଢ଼ିବାକୁ ହେଲେ ଶୃଙ୍ଖଳା ନିହାତି ଆବଶ୍ୟକ।ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ରହିଛି ।
କେବଳ ପାଠ ପଢିବାର ଆବଶ୍ୟକ ରହିଛି । କାହିଁକି ନା ଗୁଣାତ୍ମକ ଶିକ୍ଷା ଦ୍ୱାରା ଭକ୍ତି,ସାଧୁତା ସହ ଶୈକ୍ଷିକ ପରିବେଶକୁ ବିକଶିତ କରିଥାଏ ବୋଲି କହିଥିଲେ। ମୁଖ୍ୟ ଅତିଥି ଡ଼.ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ନିଜ ଅଭିଭାଷଣରେ ଦୀର୍ଘ ୭୫ ବର୍ଷର ଘାତ ପ୍ରତିଘାତ ମଧ୍ୟରେ ବିଦ୍ୟାଳୟ ପ୍ରତିବର୍ଷ ବହୁ ଉଜ୍ବଳମୟୀ ଭବିଷ୍ୟତ ଗଠନ କରିଆସିଛି ।