No Result
View All Result
‘ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜଣେ ଦୂରଦର୍ଶୀ ଓ ଦୃଢ଼ମନା ନାରୀନେତ୍ରୀ ଥିଲେ’
ଓଡ଼ିଶା ତାଜା ନ୍ୟୁଜ (୩୧ ଅକ୍ଟୋବର,ସୋମବାର ) ଭୁବନେଶ୍ୱର :- ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ଆଜି ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳିତ ହୋଇଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଉଦ୍ୟମ ସର୍ବଦା ପ୍ରଶଂସନୀୟ ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ କହିଲେ ଯେ ଅନେକ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଚଳଣି ସତ୍ତେ୍ୱ ଭାରତର ଏକତା ଓ ସଂହତି ଅକ୍ଷୁଣ୍ଣ ରହିଛି । ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ । ଭାରତର ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବାକୁ ଯାଇ ବହୁ ଯୁଗପୁରୁଷ ଆତ୍ମୋତ୍ସର୍ଗ କରିଛନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀ ସେହିଭଳି ଜଣେ ରାଷ୍ଟ୍ରନେତା । ରାଷ୍ଟ୍ର ନିର୍ମାଣରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ଅତୁଳନୀୟ । ସମଗ୍ର ଦେଶବାସୀ ମହାନ୍ ଭାରତ ମହାମନ୍ତ୍ରରେ ଅଭିମନ୍ତ୍ରିିତ ହେଲେ ହିଁ ଭାରତ ପୃଥିବୀର ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ ହୋଇପାରିବ ଏବଂ ଏହା ହିଁ ହେବ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କୁ ଜଣେ ଦୂରଦର୍ଶୀ ଏବଂ ଦୃଢ଼ମନା ନାରୀନେତ୍ରୀ ଭାବେ ଅଭିହିତ କରିଥିଲେ । ତାଙ୍କର ଶାସନକାଳରେ ଭାରତବର୍ଷର ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ପ୍ରଗତି ଘଟିଥିଲା ା ଦେଶର ସୁରକ୍ଷା ଏବଂ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ତାଙ୍କର ଭୂମିକା ସର୍ବଦା ସ୍ମରଣୀୟ ହୋଇରହିବ ବୋଲି ସେ ଉଲ୍ଲେଖ କରିଥିଲେ ।ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମଚ୍ଚତି ସମିତିର ସାଧାରଣ ସଂପାଦକ ଶ୍ରୀ ଅମିୟ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଇନ୍ଦିରା ଗାନ୍ଧୀଙ୍କର ବହୁମୁଖୀ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଭାରତବର୍ଷର ଏକତା, ଅଖଣ୍ଡତା, ସମୃଦ୍ଧି ଓ ଅଭିବୃଦ୍ଧି ପାଇଁ ସେ ଆଜୀବନ ସଂଗ୍ରାମ କରିଥିଲେ । ଆତଙ୍କବାଦକୁ ଦୃଢ଼ହସ୍ତରେ ଦମନ କରିବାକୁ ଯାଇ ସେ ଶହୀଦ ହୋଇଥିଲେ । ଇନ୍ଦିରା ଗାନ୍ଧୀଙ୍କର ବଳିଦାନ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ବୋଲି ସେ ପ୍ରକାଶ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କହିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ସୁରକ୍ଷା ଓ ଅଖଣ୍ଡତା ରକ୍ଷା କରିବା ଦିଗରେ ସର୍ବଦା ଉଦ୍ୟମ କରିବା ସହ ଜଣେ ଦୂରଦର୍ଶୀ ନେତ୍ରୀ ଭାବେ ବିଶ୍ୱଦରବାରରେ ଭାରତକୁ ଗୌରବାନ୍ୱିତ କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୂଚନା ଅଧିକାରୀ ପ୍ରମିଳା ମାଝୀ ସଂଚାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।
No Result
View All Result