No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଅକ୍ଟୋବର ରବିବାର ) ଭୁବନେଶ୍ୱର :- ପଯ୍ୟଟନ, ଟ୍ରାଭେଲ ଓ ଆତିଥେୟତା କ୍ଷେତ୍ରରେ ଓଡ଼ିଶାର ବିଭିନ୍ନ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବା ଲାଗି ଦେଶବିଦେଶର ଟୁର ଅପରେଟରମାନେ ଆଗ୍ରହ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ର ତୃତୀୟ ଦିନରେ ରେକର୍ଡ ୩,୩୭୭ ସଂଖ୍ୟକ କ୍ରେତା-ବିକ୍ରେତା ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଟୁର ଅପରେଟରମାନେ ଅଂଶଗ୍ରହଣ କରି ସେମାନଙ୍କ ସମ୍ଭାବ୍ୟ ବୁଝାମଣା ସମ୍ପର୍କରେ ଆଲୋଚନା କରିଥିଲେ । ଦିନ ତମାମ ଚାଲିଥିବା ଏହି ବୈଠକଗୁଡ଼ିକରେ କିଛି ଟୁର୍ ଅପରେଟର ସହଯୋଗିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଓଡ଼ିଶାରେ ଥିବା ସୁଯୋଗକୁ ନେଇ ବହୁ ବିକ୍ରେତା ବେଶ ଆଶାବାଦୀ ଓ ଉତ୍ସାହିତ ଥିଲେ ।ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଶିଳ୍ପ ସଂଘ ଫିକି ପକ୍ଷରୁ ଆୟୋଜନ କରାଯାଇଥିବା ଚତୁର୍ଥ ଓଡ଼ିଶା ଟ୍ରାଭେଲ ବଜାର ଆଜି ଉଦ୍ଯାପିତ ହୋଇଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମର ଅଂଶ ଭାବେ ଟୁର ଅପରେଟରମାନେ ଭୁବନେଶ୍ୱର, ପୁରୀ, ଚିଲିକା, ଧଉଳି, ଭିତରକନିକା ଓ ଲଳିତଗିରି ଭଳି ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଛନ୍ତି । ନିବେଶକ ଓ ଏୟାରଲାଇନ୍ସଗୁଡ଼ିକ ସହ ବି୨ଜି ବୈଠକ ମଧ୍ୟ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ସ୍ଥାପନ କରାଯାଇଥିବା ଏକ ପ୍ରଦର୍ଶନୀରେ ବିକ୍ରେତାମାନେ ସେମାନଙ୍କ ଉତ୍ପାଦକୁ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପର୍ଯ୍ୟଟନର ବିକାଶ ଲାଗି ପ୍ରସ୍ତୁତ କରାଯାଇଥିବା ମାଷ୍ଟର ପ୍ଲାନ ନିମନ୍ତେ ୧୭ଟି ସ୍ଥାନକୁ ଚିହ୍ନଟ କରାଯାଇଛି ବୋଲି ସେ କହିଥିଲେ । ସେଥିରେ ସାମିଲ ରହିଛି ବେଳାଭୂମି, ଜୈବ-ବିବିଧତା ଅଂଚଳ, ଐତିହାସିକ ସ୍ଥାପତ୍ୟ, ଧାର୍ମିକ ଓ ସାସ୍କୃତିକ ଗୁରୁତ୍ୱ ବହନ କରୁଥିବା ସ୍ଥାନ ଯାହା ସ୍ୱତନ୍ତ୍ର ପର୍ଯ୍ୟଟନ ଅନୁଭୂତି ପ୍ରଦାନ କରିବ । ପର୍ଯ୍ୟଟନ ଅନୁଭବକୁ ଆହୁରି ସମୃଦ୍ଧ କରିବା ଲାଗି ବୋଟ ପର୍ଯ୍ୟଟନ, କ୍ୟାମ୍ପିଂ, ଐତିହାସିକ ରାଜପ୍ରାସାଦରେ ରହଣୀ, ଜଳ ଭିତିକ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶ କରାଯାଉଛି ଏବଂ ତାହାକୁ ସଂସ୍ଥାର ରୂପ ପ୍ରଦାନ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଥିଲେ ।ଚତୁର୍ଥ ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୨ରେ ବାଲାଂଦେଶ, ଇଣ୍ଡୋନେସିଆ, ମାଲେସିଆ, ନେପାଳ, ସିଙ୍ଗାପୁର, ତାଞ୍ଜାନିଆ, ଥାଇଲ୍ୟାଣ୍ଡ୍ ଓ ଭିତଏନାମ ଭଳି ଦେଶରୁ ୨୨ଟି ବିଦେଶୀ ଟୁର ଅପରେଟର ଏବଂ ଭାରତର ବିଭିନ୍ନ ସ୍ଥାନ ଯଥା ଔରଙ୍ଗାବାଦ, ବାଙ୍ଗାଲୋର, ଭୋପାଳ, ଚଣ୍ଡିଗଡ଼, ଚନ୍ଦ୍ରପୁର, ଚେନ୍ନାଇ, ଡେରାଡୁନ, ଗୁଆହାଟି, ହାଇଦ୍ରାବାଦ, ଜୟପୁର, କୋଚି, କୋଲକାତା, ଲୁଧିଆନା, ମଙ୍ଗଳଗିରି, ମୁମ୍ବାଇ, ନାଗପୁର, ନାସିକ, ନୂଆଦିଲ୍ଲୀ ଓ ଏନସିଆର, ପଂଜିମ୍, ପୁନେ, ରାୟପୁର, ରୋହତକ, ସିଲିଗୁଡ଼ି, ସୁରେନ୍ଦ୍ରନଗର, ତ୍ରିଭେନ୍ଦ୍ରମ, ବାରାଣାସୀ ଓ ବିଶାଖାପାଟଣା ଆଦିରୁ ୮୩ ଟୁର ଅପରେଟର ଅଂଶଗ୍ରହଣ କରିଛନ୍ତି ।ଓଡ଼ିଶା ଟ୍ରାଭେଲ ବଜାର ପରିସରରେ ଦ୍ୱିତୀୟ ଦିନରେ ଅଗ୍ରଣୀ ଜାତୀୟ ତଥା ଆନ୍ତର୍ଜାତୀୟ ହସ୍ପିଟାଲିଟି ଏବଂ ୱେଲନେସ ଗ୍ରୁପଗୁଡ଼ିକ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସହିତ ଓଡ଼ିଶାରେ ନିବେଶର ସମ୍ଭାବ୍ୟ ସୁଯୋଗ ଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ।ଏହି ଅବସରରେ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ପାତ୍ର, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ନିର୍ଦେଶକ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ଫିକିର ଟ୍ରାଭେଲ୍, ପର୍ଯ୍ୟଟନ ଓ ଆତିଥେୟତା କମିଟିର ସହ-ଅଧ୍ୟକ୍ଷ ଏବଂ ସ୍ୱସ୍ତି ହୋଟେଲ୍ସର ସିଏମ୍ଡି ଶ୍ରୀଯୁକ୍ତ ଜେ କେ ମହାନ୍ତି ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ଓଏସ୍ଡି ଶ୍ରୀଯୁକ୍ତ ଅଂଶୁମାନ ରଥ ଉପସ୍ଥିତ ଥିଲେ ।
No Result
View All Result