No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ଗୁରୁବାର ) ବୈପାରିଗୁଡା :- ବୈପାରିଗୁଡା ସହରର ପ୍ରତ୍ୟେକ ସାହି ସହିତ ମୁଖ୍ୟରାସ୍ତା ରେ କୁଢ କୁଢ ଆବର୍ଜନା ପଡି ରହିଛି । ପ୍ରତିଦିନ ଅଳିଆ ଗାଡି ବୁଲୁଥିଲେ ମଧ୍ୟ ଗୋଟିଏ ସ୍ଥାନରେ ଗଦା ହୋଇ ଆବର୍ଜନା ରହୁଥିବାର ଦେଖାଯାଇଛି । ତେବେ ଅଳିଆ ଗାଡି ପ୍ରତ୍ୟେକ ଦିନ ବୈପାରିଗୁଡା ସହରରେ ସନ୍ଧ୍ୟା ସମୟରେ ବୁଲିଲେ ମଧ୍ୟ ଅଧିକାଂଶ ୱାର୍ଡରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦେଖି ବୈପାରିଗୁଡାବାସୀ ଏବେ ଡେଙ୍ଗୁ ଭୟରେ ଦିନ କାଟୁ ଥିବାର ଦେଖାଯାଉଛି । ଯେଉଁ ଠି ବି ଖାଲି ସ୍ଥାନ ଦେଖିଲେ ସେହି ସ୍ଥାନରେ ପଡିଲା କୁଢାକୁଢା ଆବର୍ଜନା । ଅନେକ ସ୍ଥାନରେ ବହୁ ଦିନ ଧରି ଅଳିଆ ଉଠୁନି । ମଶା ଉପଦ୍ରବ ନିୟନ୍ତ୍ରଣ ବାହାରେ ।
ବୈପାରିଗୁଡା ବ୍ଲକରେ ଡେଙ୍ଗୁ ରୋଗ ସଂଘାତିକ ରୂପ ଦେଉଛି । ବେସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଂଚଳବାସୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତ କିଛି ମାସ ଭିତରେ ବହୁ ବରିଷ୍ଟ ଅଧିକାରୀ, ପୋଲିସ ଅଧିକାରୀ, ସାମ୍ବାଦିକ, ନେତା ଓ ସାଧାରଣ ଜନତା ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବାର ନଜର ରହିଛି । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକୀୟ ସୁବିଧା ନଥିଲେ ମଧ୍ୟ ବୈପାରିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ମାନେ ରୋଗୀ ମାନଙ୍କୁ ଚିକିତ୍ସା କରି ଆବଶ୍ୟକୀୟ ସୁରକ୍ଷା ପ୍ରଦାନ କରିବା ସହିତ ଔଷଧ ଖାଇବା ପାଇଁ ପରାମର୍ଶ ଦେଇ ପ୍ରତିଦିନ ଘର ଘର ବୁଲି ସେମାନଙ୍କ ଚିକିତ୍ସା ମଧ୍ୟ କରୁଥିବାର ଦେଖାଯାଇଛି ।
ବିଭିନ୍ନ ସାହିରେ ଦିନଦିନ ଧରି ଅଳିଆ ଆବର୍ଜନା ଜମି ରହିବା, ଡ୍ରେନଗୁଡିକ ଭଗ୍ନ ଅବସ୍ଥାରେ ରହିଥିବାରୁ ଦୂଷିତ ଜଳ ନିଷ୍କାସନ ହୋଇନପାରି ମାସ ମାସ ଧରି ପାଣି ଜମି ରହିବା କାରଣରୁ ଡେଙ୍ଗୁ କାୟା ବିସ୍ତାର କରିବା ସମ୍ଭାବନା କୁ ଏଡାଇ ଦିଆନଯାଏ । କେଉଁ ସ୍ଥାନରେ ଡ୍ରେନ ଭାଙ୍ଗି ଗଲାଣି ତ କେଉଁ ସ୍ଥାନରେ ଅଧା ନିର୍ମାଣ ହୋଇ ପଡି ରହିଛି ଡ୍ରେନ୍ । ସେହି ପରି ଭାବେ ମୁଖ୍ୟଛକ କଥା ନ କହିବା ଭଲ । ଜନଗହଳି ସ୍ଥାନରେ ପରିମଳ ଆହୁରି ଖରାପ । ଏହି ସ୍ଥାନ ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଯାଉଥିବା ବେଳେ ଜୟପୁର, ମାଲକାନଗିରି, ରାମଗିରି ଯିବାକୁ ଯାତ୍ରୀ ମାନେ ଅପେକ୍ଷା କରିଥାନ୍ତି । ସହର ସହ ସାହି ଗୁଡିକ ବୁଲିବା ବେଳେ ଚାରିଆଡେ ଗଦା ଗଦା ଅଳିଆ ଦେଖିବାକୁ ମିଳେ । ପ୍ରଶାସନିକ କଳ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଥିବା ଭଳି ମନେ ହେଉଛି । ବ୍ଲକ ପ୍ରଶାସନ ଏଥିପ୍ରତି ଟିକେ ସତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।


No Result
View All Result