ଗାଁ ମୁହାଁ ହୋଇଛି ହାତୀପଲ ୧୬ ହାତୀଙ୍କ ଆତଙ୍କ
ଚିନ୍ତାରେ ଚାଷୀ, ପ୍ରାୟ ୧ ଲକ୍ଷ ଟଙ୍କାର କ୍ଷତି; ସରକାରୀ ସହାୟତା ଦାବି
ରଣପୁର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟ ପଞ୍ଚାୟତର ଶଙ୍ଖମୂଳ ଅଞ୍ଚଳରେ ଗତ ୨୬ ତାରିଖରେ ୧୬ ଟିକିଆ ହାତୀପଲଙ୍କ ଉପଦ୍ରବରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଏହି ଘଟଣାରେ ଚାଷୀମାନେ ଆର୍ଥିକ କ୍ଷତି ସହିବା ସହ ଚିନ୍ତାରେ ପଡ଼ିଛନ୍ତି । ପ୍ରାପ୍ତ ତଥ୍ୟ ଅନୁଯାୟୀ, ହାତୀପଲଙ୍କ ଦ୍ୱାରା ଅନ୍ତର୍ଯ୍ୟାମୀ ପ୍ରଧାନ, ବିଜୟ କୁମାର ପ୍ରଧାନ ଓ ଗୋବିନ୍ଦ ପ୍ରଧାନଙ୍କ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ପ୍ରାୟ ୬ ମାଣ ଜମିର ଧାନ ଫସଲ ନଷ୍ଟ ହୋଇଥିବା ବେଳେ ଆନୁମାନିକ କ୍ଷତିର ପରିମାଣ ପ୍ରାୟ ୧ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି ।

ବର୍ଷକର ପରିଶ୍ରମ ଓ ଫସଲ ଉପରେ ନିର୍ଭର କରି ପରିବାର ଚଳାଉଥିବା ଚାଷୀମାନେ ଏହି କ୍ଷୟକ୍ଷତି ଯୋଗୁଁ ଭାଙ୍ଗି ପଡ଼ିଛନ୍ତି । କ୍ଷତିଗ୍ରସ୍ତ ଚାଷୀମାନେ ନଷ୍ଟ ହୋଇଥିବା ଫସଲର ଉପଯୁକ୍ତ ଆକଳନ କରିବା ସହ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି । ହାତୀପଲଙ୍କ ଏହି ଅପ୍ରତ୍ୟାଶିତ ଆଗମନ ଚାଷୀଙ୍କ ମଧ୍ୟରେ ଭୟ ଓ ଉଦ୍ବେଗ ସୃଷ୍ଟି କରିଛି । ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହେବା ଘଟଣା ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉଦ୍ବେଗ ସୃଷ୍ଟି କରିଛି ।
















