odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ,ରିପୋର୍ଟ / ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ହାଇକୋର୍ଟ,୧୬ ମଇ,ଶନିବାର :- ପିଡିଏସ୍ ସାମଗ୍ରୀ ବଣ୍ଟନ ପାଇଁ ଡିଲରଙ୍କ ସ୍ଥାନରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏସ୍ଜି)ଙ୍କୁ ନିଯୁକ୍ତି ନିଷ୍ପତ୍ତି ଆଇନ ଅନୁସାର ଗ୍ରହଣୀୟ ନୁହେଁ । ଡିଲରଙ୍କୁ ଉଚ୍ଛେଦ ପ୍ରସଂଗରେ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲ ହାଇକୋର୍ଟ କହିଛନ୍ତି । ଡିଲରଙ୍କୁ ଉଚ୍ଛେଦ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ବ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାର ଆଜି ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି । ଏଥିସହିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରକାଶ ନାୟକ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ, ଲାଇସେନ୍ସ ସମୟ ଅବଧି କାଏମ ଥିବା ସତ୍ବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜ୍ୟର ୨ ହଜାର ୫୯୩ ଜଣ ଡିଲରଙ୍କୁ ଉଚ୍ଛେଦ ଲାଗି ନିର୍ଦ୍ଦେଶନାମା ଜାରି କରିଥିଲା । ଏହିସବୁ ଡିଲରଙ୍କ ପିଓଏସ୍ ମେସିନର ଖାଉଟି ଉପସ୍ଥାନ ନିର୍ଦ୍ଧାରିତ ସଂଖ୍ୟା ମାନଦଣ୍ଡଠାରୁ କମ୍ ଥିବାରୁ ସେମାନଙ୍କୁ ଉଚ୍ଛେଦ କରାଯାଉଛି ବୋଲି ଦର୍ଶାଯାଇଥିଲା । ଶେଷ ୭ ମାସରେ ଖାଦ୍ୟ ସାମଗ୍ରୀ ଯୋଗାଣରେ ପ୍ରଦର୍ଶନ ଖରାପ ଥିବାରୁ ସେମାନଙ୍କ ବିରୋଧରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ନେଇ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଥିଲା । ଓଡିଶା ପିଡିଏସ୍ ନିର୍ଦ୍ଦେଶ-୨୦୧୬, ରୁଲ୍-୯ ଅନୁଯାୟୀ ଜଣେ ଡିଲରଙ୍କୁ ଲାଇସେନ୍ସ ଦିଆଯିବା ଏବଂ ବାତିଲ୍ କରାଯିବା ବ୍ୟବସ୍ଥା ରହିଛି ।
କର୍ତ୍ତୃପକ୍ଷ ଏହି ନିୟମ ଆଧାରରେ ଜଣେ ଡିଲରଙ୍କ ଲାଇସେନ୍ସ ରଦ୍ଦ କରିପାରନ୍ତି କିମ୍ବା ନୂତନ ବ୍ୟକ୍ତିବିଶେଷଙ୍କୁ ଲାଇସେନ୍ସ ଦେଇପାରନ୍ତି । କିନ୍ତୁ ଯେଉଁମାନଙ୍କ ପ୍ରଦର୍ଶନ ଭଲ ନାହିଁ ସେମାନଙ୍କର ଲାଇସେନ୍ସ କଟାଯାଇ ପାରିବ ବୋଲି ଉଲ୍ଲେଖ ରହିଛି । ଏଥିପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଏହି ପ୍ରସଂଗରେ ରାଜ୍ୟ ସରକାର ଡିଲରଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏକପାଖିଆ ନିଷ୍ପତ୍ତି ନେଇ ୨ ହଜାର ୫୯୩ଜଣ ଡିଲରଙ୍କୁ ଉଚ୍ଛେଦ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକାରୀଙ୍କ ସମେତ ବହୁ ଡିଲର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଫୁଲ୍ଲ କୁମାର ରଥ ଏବଂ ଆଇନଜୀବୀ ଅରୁଣ କୁମାର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ ।