
ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳି ଓ ପୁରୁଷୋତ୍ତମପୁର ଅବକାରୀ ବିଭାଗ ଗୁରୁବାର ମିଳିତ ଚଢ଼ଉ କରି ହିଞ୍ଜିଳିକାଟୁ ଅବକାରୀ ଥାନା ଅଞ୍ଚଳର ରାଳବ- ନନ୍ଦିକ ରାସ୍ତା ନିକଟରୁ ୯୦ ଲିଟର ବିଦେଶୀ ମଦ ଓ ୧୨୫ ଲିଟର ବିଅର ଜବତ କରିଛି। ବେଆଇନ ଭାବେ ବିଦେଶୀ ମଦ ଓ ବିଅର ବିକ୍ରି କରୁଥିବା ଅଭିଯୋଗ ଆଧାରରେ ନନ୍ଦିକ ଗ୍ରାମର ନିଳାଞ୍ଚଳ ବେହେରା ନାମକ ଜଣେ ଯୁବକଙ୍କୁ ଗିରଫ କରି ତା ନିକଟରୁ ବିକ୍ରି ବାବଦ ଅର୍ଥ ରାଶି ୧୨୮୦/- ଟଙ୍କା ଜବତ ହୋଇଛି । ଏ ନେଇ ପୁରୁଷୋତ୍ତମପୁର ରେଞ୍ଜ ଅବକାରୀ ନିରୀକ୍ଷକ ପ୍ରଦୀପ କୁମାର ମହାନ୍ତି ପିଆର କେଶ ନଂ ୯୪/୨୬-୨୭ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ଅବକାରୀ ବିଭାଗ ସୂଚନା ମୁତାବକ ହିଞ୍ଜିଳିକାଟୁ ଅବକାରୀ ଥାନା ଅଞ୍ଚଳର ରାଳବ- ନନ୍ଦିକ ରାସ୍ତା ନିକଟରେ ଦୀର୍ଘ ଦିନ ଧରି ଅବୈଧ ଭାବେ ବିଦେଶୀ ମଦ ଓ ବିଅର ବିକ୍ରି ହୋଇଥିବା ନେଇ ପୁରୁଷୋତ୍ତମପୁର ରେଞ୍ଜ ଅଧିକାରୀଙ୍କୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ହିଞ୍ଜିଳିକାଟୁ ଅବକାରୀ ଥାନା ଉପ ନିରୀକ୍ଷକ ସଂଗ୍ରାମ କେଶରୀ ମାର୍ଣ୍ଡି ଓ ଟିମ ସହ ରେଞ୍ଜ ନିରୀକ୍ଷକ ପ୍ରଦୀପ କୁମାର ମହାନ୍ତି ସଦଳବଳେ ପହଞ୍ଚି ଚଢାଉ କରିଥିଲେ। ସୂଚନା ଯୋଗ୍ୟ, ହିଞ୍ଜିଳିକାଟୁ ଅବକାରୀ ଥାନାର ନନ୍ଦିକ ଗ୍ରାମରେ ଦୀର୍ଘ ଦିନ ଧରି ଦେଶୀ ମହୁଲି ମଦର ଅବାଧ କାରବାର ଚାଲୁ ରହିଛି ।

ସମ୍ପୃକ୍ତ ଗ୍ରାମରେ ପୁରୁଷୋତ୍ତମପୁର ଏବଂ ହିଞ୍ଜିଳିକାଟୁ ଅଞ୍ଚଳର ଦେଶୀ ମହୁଲି ମଦ ପ୍ରସ୍ତୁତି ଭାଟିରୁ ଭିନ୍ନ ଭିନ୍ନ ସ୍ଥାନରେ ଉଭୟ ଭାଟିର ଦେଶୀ ମହୁଲି ମଦ ପ୍ରତିଯୋଗିତା ମୂଳକ ଭାଵେ ବିକ୍ରି ହୋଇଥିବା ଜଣାପଡ଼ିଛି।ନନ୍ଦିକରେ ଦେଶୀ ମହୁଲି ମଦ ପ୍ରସ୍ତୁତି ଭାଟି ପାଇଁ ଅନୁମତି ମିଳିଥିବା ବେଳେ ସେଠାରେ ପୁରୁଷୋତ୍ତମପୁର ଅଞ୍ଚଳରୁ ଦେଶୀ ମହୁଲି ମଦ ବିକ୍ରି ପାଇଁ ବିଭାଗୀୟ ଅନୁମତି ମିଳିଛି । କିନ୍ତୁ ଗତ ଦୁଇ ବର୍ଷ ଧରି ସେହି ଗ୍ରାମରେ ହିଞ୍ଜିଳିକାଟୁ ଦେଶୀ ମହୁଲି ମଦ ପ୍ରସ୍ତୁତି ଭାଟିରୁ ମଦ ବିକ୍ରି ହେଉଥିବା ଜଣା ପଡ଼ିଛି ।














