
ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଆଲୋକର ପର୍ବ ଦୀପାବଳି ଅବସରରେ ନୟାଗଡ଼ଠାରେ ଓରମାସ୍ (ORMAS) ପକ୍ଷରୁ ଏକ ସ୍ୱତନ୍ତ୍ର ଦୀପାବଳି ଷ୍ଟଲ୍ ଉଦ୍ଘାଟିତ ହୋଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲଗ୍ନଜିତ୍ ରାଉତ, ଓରମାସ୍ର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନୀଳକଣ୍ଠ ରଥଙ୍କ ସମେତ ଅନ୍ୟାନ୍ୟ ଓରମାସ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ଷ୍ଟଲ୍ର ଶୁଭାରମ୍ଭ ହୋଇଥିଲା ।

ଏହି ଷ୍ଟଲ୍ରେ ସ୍ଥାନୀୟ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ଉତ୍ପାଦକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ଉପଲବ୍ଧ ହେଉଛି । ଏଥିରେ ମାଟି ଦୀପ, ଟେରାକୋଟା ସାମଗ୍ରୀ, କୃତ୍ରିମ ଫୁଲ ଏବଂ ଦୀପାବଳି ସାଜସଜ୍ଜା ପାଇଁ ଆବଶ୍ୟକ ବିଭିନ୍ନ ଘରକରଣା ସାମଗ୍ରୀ ସ୍ଥାନ ପାଇଛି । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଥାନୀୟ କାରିଗର ଓ ଗ୍ରାମୀଣ ଉତ୍ପାଦକମାନଙ୍କୁ ଉପଯୁକ୍ତ ବଜାର ସୁଯୋଗ ଯୋଗାଇଦେବା ସହ ସେମାନଙ୍କ ହାତତିଆରି ସାମଗ୍ରୀର ପ୍ରଚାର ଓ ପ୍ରସାର କରିବା ।














