odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ପୁରୀ,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୧୫ ମଇ, ଶୁକ୍ରବାର :- ଧୀରେଧୀରେ ଦୂର ହୋଇଆସୁଛି ରଥ ନେଇ ରହିଥିବା ସଂଶୟ । ଶ୍ରୀକ୍ଷେତ୍ରରଏକ ଭକ୍ତିଭାବାପନ୍ନ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ଭଉଁରୀ ଯାତ୍ରା । ପୁରୀରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହେବାରୁ ନୃସିଂହ ଚତୃଦ୍ଦଶୀରେ ଗୁଜ ଅନୁକୂଳ ହୋଇପାରି ନଥିଲା ମଧ୍ୟ ତିଥି ଅନୁସାରେ ଚକଡ଼େରା ନୀତି ସଂପନ୍ନ ହୋଇଛି ।
ସେପଟେ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଆୟୋଜିତ ବୈଠକରେ ବିସ୍ତାର ଆଲୋଚନା ହୋଇଛି । ଘଣ୍ଟା କାହାଳୀ ବାଦ୍ୟ ସହିତ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ରଥଖଳାର ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତ ମାନେ ଉତ୍ସାହିତ ହୋଇପଡ଼ିଥିଲେ ।
ଆଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଆରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତ ମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ ।ସମସ୍ତେ ଥିଲେ ବେଶ୍ ଉତ୍ସାହିତ । ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ଭଉଁରୀ ତିଥିରେ ଚକଡେରା ନୀତି ସେବାୟତ ମାନଙ୍କ ପାଇଁ ଏକ ଚାଲେଞ୍ଜ୍ ଥିଲା ।
ବିନା ବିଘ୍ନରେ ଏହିନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଗକୁ ରଥ ନିର୍ମାଣର ସମସ୍ତ କାମ ତିଥି ଅନୁସାରେ ସଂପନ୍ନ ହୋଇ ଠିକ୍ ସମୟରେ ରଥ ନିର୍ମାଣ ସମ୍ପୁର୍ଣ୍ଣ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।
ସେପଟେ କୋଭିଡ୍-୧୯ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ପାଇଁ ଦଇତାପତି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦଇତାପତି ନିଯୋଗ ବିସ୍ତାର ରିପୋର୍ଟ ଦେବ ।





















