odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ରାଜ୍ୟ ଯୋଜନା ବୋର୍ଡର ଉଚ୍ଚସ୍ତରୀୟ ବୈଠକ ସଠିକ୍ ପରିଚାଳନା ଓ ମାର୍ଗଦର୍ଶନ ଉପରେ ରାଜ୍ୟ ଯୋଜନା ବୋର୍ଡ ଉ ପାଧ୍ୟକ୍ଷ ଶ୍ରୀ ଦାସବର୍ମା
ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୧୪ ମଇ, ଗୁରୁବାର : – ଭୁବନେଶ୍ୱର ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ କରୋନା ମହାମାରୀ ପରିପ୍ରେକ୍ଷୀ ଓ ଏହାର ପରବର୍ତ୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସରକାର କରୋନା ମହାମାରୀର ମୁକାବିଲା କରୁଥିବା ବେଳେ ରାଜ୍ୟର ଅର୍ଥନୀତିକୁ ଗତିଶୀଳ କରିବା ନିମନ୍ତେ ଚାରୋଟି କ୍ଷେତ୍ର ଉପରେ ବିସ୍ତୃତ ତର୍ଜମା କରି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ବୈଜ୍ଞାନିକ, ସାମାଜିକ କର୍ମୀ, ଅର୍ଥନୀତିଜ୍ଞ ଏବଂ ଉଚ୍ଚ ପଦାଧିକାରୀଙ୍କ ମତାମତକୁ ନେଇ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସମୂହ, ଜନସ୍ୱାସ୍ଥ୍ୟ, ପର୍ଯ୍ୟଟନ ଶିଳ୍ପ ଓ ଅନ୍ୟାନ୍ୟ କ୍ଷେତ୍ର ସଂପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ ସମସ୍ତ ସଂପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସହିତ ବ୍ୟାପକ ବିଚାରବିମର୍ଶ କରାଯିବ । ରାଜ୍ୟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ନୋଡାଲ୍ ଏଜେନ୍ସି ଭାବେ ଦାୟିତ୍ୱ ନିର୍ବାହ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଏହି ସମସ୍ତ କ୍ଷେତ୍ରକୁ କିପରି ସଠିକ୍ ପରିଚାଳନା ଓ ମାର୍ଗଦର୍ଶନ କରାଯିବ ତା’ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି । ବିଭିନ୍ନ ପର୍ଯ୍ୟୟର ଆଲୋଚନା ପରେ ଚୂଡ଼ାନ୍ତ ରିପୋର୍ଟ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସେଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ଗୋପବନ୍ଧୁ ଶତପଥୀ, ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ ମିଶ୍ର, ଯୋଜନା ଓ ସେଂଯୋଜନ ବିଭାଗର ଅନୁଶାସନ ସଚିବ ଶ୍ରୀ ଅଭୟ କୁମାର ମହାନ୍ତି ପ୍ରମୁଖ ଭାଗ ନେଇଥିଲେ ।