No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨,ଏପ୍ରିଲ ମଙ୍ଗଳବାର ) ଭୁବନେଶ୍ୱର :- ରାଜ୍ୟରେ ସବୁଜ ଶକ୍ତିର ବିସ୍ତାର ପାଇଁ ମହାରତ୍ନ କଂପାନି ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ୍) ଓ ଓଡ଼ିଶା ସରକାର ପରସ୍ପର ସହ ହାତ ମିଳାଇ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏକ ଅକ୍ଷୟ ଶକ୍ତି ପ୍ରକଳ୍ପ ଓ ଗ୍ରିନ୍ ହାଇଡ୍ରୋଜେନ୍ ପ୍ଲାଂଟ୍ ସ୍ଥାପନ କରିବା, ଗ୍ରାହକମାନଙ୍କୁ ଚବିଶ ଘଂଟା ବିଦ୍ୟୁତ୍ ଯୋଗାଣ, ଭିତିଭୂମି ସ୍ଥାପନ, ପ୍ରଶିକ୍ଷଣ ଓ ଜ୍ଞାନ ବଂଟନ ଆଦି ପାଇଁ ରହିଥିବା ସମ୍ଭାବନାର ସନ୍ଧାନ କରିବା ଲାଗି ଏକ ପାଂଚ ବର୍ଷିଆ ଅବଧି ପାଇଁ ବୁଝାମଣାପତ୍ର (ଏମ୍ଓୟୁ) ରେ ୨୦୨୨ ଏପ୍ରିଲ୍ ୧୧ ରେ ଓଡ଼ିଶା ଶିଳ୍ପ ପ୍ରସାର ଓ ନିବେଶ ନିଗମ (ଇପିକଲ୍)ର ପରିଚାଳନା ନିର୍ଦେଶକ, ଆଇଏଏସ୍ ଶ୍ରୀଯୁକ୍ତ ଭୁପେନ୍ଦ୍ର ସିଂହ ପୁନିଆ ଓ ବିପିସିଏଲ୍ର ଅକ୍ଷୟ ଶକ୍ତି ନିର୍ଦେଶକ ଶ୍ରୀଯୁକ୍ତ ଅମିତ ଗର୍ଗ ସ୍ୱାକ୍ଷର କରିଛନ୍ତି ।
ଓଡ଼ିଶାର ମୁଖ୍ୟ ସଚିବ ତଥା ମୁଖ୍ୟ ଉନ୍ନୟନ କମିସନର ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏମ୍ଓୟୁ ସ୍ୱାକ୍ଷର ଉତ୍ସବରେ ବିପିସିଏଲ୍ର ସିଏମ୍ଡି ଶ୍ରୀଯୁକ୍ତ ଅରୁଣ କୁମାର ସିଂହ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ । ବିପିସିଏଲ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଅରୁଣ କୁମାର ସିଂହ କହିଛନ୍ତି ଯେ, “ପ୍ରତିଭା ଓ ପ୍ରଯୁକ୍ତିକୁ ବ୍ୟବହାର କରି ସବୁଠୁ ପ୍ରଶଂସନୀୟ ଶକ୍ତି କଂପାନିରେ ପରିଣତ ହେବାକୁ ଅଭିଳାଷ ରଖିଛି । ଏକ ସବୁଜ ଓ ସ୍ୱଚ୍ଛ ପରିବେଶ ପାଇଁ ଆମର ପ୍ରତିବଦ୍ଧତା ଅନୁସାରେ ୨୦୪୦ ସୁଦ୍ଧା ଆମେ ସ୍କୋପ୍ ୧ ଓ ୨ରେ ନେଟ୍-ଜିରୋ କଂପାନିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି ।
ଏଥିପାଇଁ ବିପିସିଏଲ୍ ୨୦୪୦ ସୁଦ୍ଧା ସୌର, ପବନ ଓ କ୍ଷୁଦ୍ର ଜଳ ଶକ୍ତି ଏବଂ ବାୟୋମାସ୍ ମିଶ୍ରଣରେ ୧୦ ଗିଗାୱାଟ୍ କ୍ଷମତାର ଅକ୍ଷୟ ଶକ୍ତି କ୍ଷମତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।’’ ମୁଖ୍ୟ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ପରିବେଶ ସଂରକ୍ଷଣର ଗୁରୁତ୍ୱ ଉପରେ ମତ ରଖିଛନ୍ତି ଏବଂ ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଏହି ଅଭିଯାନ ପାଇଁ ବିପିସିଏଲ୍ ଓ ଇପିକଲ୍କୁ ଧନ୍ୟବାଦ ଦେବା ସହ ଏହି ଲକ୍ଷ୍ୟ ପାଇଁ କାମ କରିବାକୁ ସବୁ ଅଂଶୀଦାରମାନଙ୍କୁ ଉତ୍ସାହିତ କରିଛନ୍ତି ।
ବିପିସିଏଲ୍ର କାର୍ଯ୍ୟନିର୍ବାହୀ ନିର୍ଦେଶକ-ଅକ୍ଷୟ ଶକ୍ତି ଶ୍ରୀଯୁକ୍ତ ଅମିତ ଗର୍ଗ ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଟିମ୍କୁ ଶୁଭକାମନା ଜଣାଇଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ୍ କୁମାର ଦେବ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
No Result
View All Result