No Result
View All Result
ଏମିତି ଯିବାର ନଥିଲା, ମିହିର ଭାଇ – ଓମ୍ ଶାନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ମଙ୍ଗଳବାର ) କଟକ :- ଆଜି ୬୩ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଆରପାରିରେ ବର୍ଷିଆନ ଅଭିନେତା ମିହିର ଦାସ । ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ପରଲୋକରେ ଶୋକାଭିଭୂତ ହୋଇପଡିଛନ୍ତି । ପିଲାଟି ବେଳୁ ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରାକ୍ଷୀ ପାରିଥିବା ମିହିର ଦାସ ଆଜି ଆଉ ନାହାନ୍ତି ବୋଲି ଅନେକ ସହ କଳାକାର, ନିର୍ଦ୍ଦେଶକ ଓ ଦର୍ଶକ ବିଶ୍ୱାସ କରିପାରୁ ନାହାନ୍ତି ।
ଏକାଧାରରେ ଜଣେ ସହ-ଅଭିନେତା, ଚରିତ୍ର ଅଭିନେତା, ଖଳନାୟକ, ହାସ୍ୟ ଅଭିନେତା ଓ ନାୟକ ଭାବେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ରାମାୟଣ, ସ୍କୁଲ ମାଷ୍ଟର ଓ ଛ’ମାଣ ଆଠ ଗୁଣ୍ଠ ଚିତ୍ରରେ ଅଭିନୟ କରିବା ପରେ ଏଇତ ଦୁନିଆଁ ଚଳଚ୍ଚିତ୍ରରୁ ସହ ଅଭିନେତା ଭାବେ ଓଡିଆ ଚଳଚ୍ଚିତ୍ର ଜଗତରେ ପରିଚୟ ଲାଭ କରିଥବା ମିହିର ‘ପୁଅ ମୋର ଭୋଳା ଶଙ୍କର’ରେ ନାୟକ ଭାବେ ବେଶ୍ ସଫଳତା ଅର୍ଜନ କରିଥିଲେ ।
ପ୍ରାୟ ୨୫୫ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ଓ ୫୦ରୁ ଊର୍ଦ୍ଧ୍ବ ଧାରାବାହିକରେ ସେ ଅଭିନୟ କରିଛନ୍ତି।ବର୍ତ୍ତମାନ ସେ ସର୍ବାଧିକ ଓଡିଆ ଚିତ୍ରରେ ଅଭିନୟ କରି ରେକର୍ଡ ସୃଷ୍ଟି କରିଛନ୍ତି। ଜୀବନ୍ତ ଅଭିନୟ ପାଇଁ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ଥଲେ ମିହିର ଦାସ ।
ପିଲାଟି ବେଳେ ସେ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ସେତେବେଳେ ସ୍କୁଲ ବାର୍ଷିକ ଉଛବରେ ଅନୁଷ୍ଠିତ ହେଇଥିବା ‘ମଣିକାଞ୍ଚନ’ ନାଟକରେ ପ୍ରଥମେ ଅଭିନୟ କରି ପ୍ରଶଂସିତ ହୋଇଥିଲେ । କଟକ ରେଭେନ୍ସା କଲେଜରେ ଆଇ.ଏ ଦ୍ୱିତୀୟ ବର୍ଷ ପଢିବା ବେଳେ ସେ ‘ସେମାନେ ବି ମୋର’ ଡ୍ରାମାରେ ବାପା ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ପୁଣି ନାଟ୍ୟ ସଂପାଦକ ଭାବେ ନାଟକ ମଞ୍ଚସ୍ଥ ଓ ଅଭିନୟ ମଧ୍ୟ କରିଥିଲେ । କଳାବିକାଶ କେନ୍ଦ୍ରରେ ମଞ୍ଚସ୍ଥ ହେଉଥିବା ଅନେକ ନାଟକରେ ଅଭିନୟ କରି ସେ ପ୍ରଶଂସିତ ହୋଇଥିଲେ ।
ମିହିର ଦାସ ପ୍ରଥମେ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ରାମାୟଣ ଚିତ୍ରରେ ଶତ୍ରୃଘ୍ନ ଚରିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପୁଅ ମୋର ଭୋଳା ଶଙ୍କର ଚିତ୍ରରେ ମୁଖ୍ୟ ନାୟକ ଭାବେ ଅଭିନୟ କରି ସେ ରାତାରାତି ଜଣେ ସଫଳ ନାୟକ ହୋଇପାରିଥିଲେ ।
ଚଳଚ୍ଚିତ୍ର ବ୍ୟତୀତ ଛୋଟ ପରଦାରେ ମଧ୍ୟ ମିହିର ଦାସ ବେଶ୍ ପରିଚିତ ଥିଲେ । ପ୍ରଥମେ ସେ ମୂଲିଆ ଧାରାବାହିକରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ କାଆଗେ କହିବି ଗୁହାରୀ, କାଳରାତ୍ରୀ, ଜୀବନ, ଚିନ୍ତା ନକର ଚିନ୍ତାମଣିକୁ, ବିଲୁଆ ବିଚାର ଓ ଉତ୍ତରଦାୟୀ ଭଳି ଧାରାବାହିକରେ ଅଭିନୟ କରିଛନ୍ତି । ପୁଅ ମୋର ଭୋଳା ଶଙ୍କର ଚିତ୍ର ପାଇଁ ଶ୍ରେଷ୍ଠ ନାୟକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ ମିହିର ଦାସ ସୌଭାଗ୍ୟବତୀ, ଲକ୍ଷ୍ମୀପ୍ରତିମା, ବିଧାତା, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଫେରିଆ ମୋ ସୁନା ଭଉଣୀ, ପ୍ରେମ ଅଢେଇ ଅକ୍ଷର, ଅଭିମନ୍ୟୁ, ଭିଜା ମାଟିର ସ୍ୱର୍ଗ ପ୍ରଭୃତି ଚିତ୍ରରେ ବଳିଷ୍ଠ ଅଭିନୟ ପାଇଁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ୨୦୨୧ ଡିସେମ୍ବର ମାସରେ ଡାଇଲିସିସ ସମୟରେ ହୃଦଘାତ ହେବାରୁ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ କିଛି ବର୍ଷ ହେବ ସେ କିଡ଼ନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ‘ସମାଜ’ ପରିବାର ଗଭୀର ଶୋକ ପ୍ରକାଶ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

No Result
View All Result