ବାଲିଗୁଡ଼ା (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଦୀର୍ଘଦିନ ଧରି ଚାଲିଥିବା ପୂଜା ଓ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ବାଲିଗୁଡ଼ା ସହର ତଥା ଆଖପାଖ ଅଞ୍ଚଳରେ ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ପ୍ରତିମା ବିସର୍ଜନ ରବିବାର ସନ୍ଧ୍ୟା ରେ ମହାସମାରୋହରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଭିନ୍ନ ପୂଜାମଣ୍ଡପରୁ ଆକର୍ଷଣୀୟ ଶୋଭାଯାତ୍ରା ବାହାରିଥିଲା ।

ଢୋଲ, ମହୁରୀ, ବାଜା ଓ ଡିଜେର ତାଳେ ତାଳେ ଶ୍ରଦ୍ଧାଳୁମାନେ ନାଚିବା ସହ ‘ଗଣପତି ବାପ୍ପା ମୋରିଆ’ ଓ ବିଶ୍ୱକର୍ମା ଦେବଙ୍କ ଜୟଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା । ବିଭିନ୍ନ ସାହି ଓ ଅନୁଷ୍ଠାନ ପକ୍ଷରୁ ସୁସଜ୍ଜିତ ମେଢ଼ ସହ ଶୋଭାଯାତ୍ରା କରାଯାଇଥିଲା । ବିସର୍ଜନ ପୂର୍ବରୁ ପୂଜାମଣ୍ଡପରେ ବିଶେଷ ପୂଜାର୍ଚ୍ଚନା ଓ ଆଳତି କରାଯାଇଥିଲା । ପରେ ଶ୍ରଦ୍ଧାଳୁମାନେ ଭକ୍ତି ଓ ଉତ୍ସାହର ସହ ପ୍ରତିମାଗୁଡ଼ିକୁ ବିସର୍ଜନ ସ୍ଥଳକୁ ନେଇଥିଲେ ।















