No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଡିସେମ୍ବର ସୋମବାର) ନୟାଗଡ଼ ଜିଲ୍ଲା ଓଡ଼ଗାଁ :- ଓଡ଼ଗାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ ରହିଅଛି । ସନ୍ଧ୍ୟା ହେଲେ ଜମୁଛି ମଦୁଆଙ୍କ ଆସର । ଚିକିତ୍ସାଳୟ ଜଙ୍ଗଲରେ ପରିଣତ ହୋଇଥିବାବେଳେ ଅନ୍ଧାର ରାତିର ସୁଯୋଗ ନେଇ ମଦୁଆମାନେ ଚିକିତ୍ସାଳୟ ଭିତରେ ପଶି ମଦ୍ୟପାନ କରୁଛନ୍ତି । ଏଭଳି ଦେଖିବାକୁ ମିଳିଛି ଖୋଦ ଭୁବନେଶ୍ବର ଭଞ୍ଜନଗର ୨୧ ନଂ ରାଜ୍ୟ ରାଜପଥ କଡରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ଭିତରେ । ୧୯୬୧ ମସିହାରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ଖୋଲିବା ପରେ ଚାଷୀମାନେ ସମସ୍ତ ସୁବିଧା ସୁଯୋଗ ହାତ ପାହାନ୍ତାରେ ପାଉଥିଲେ ।

ବିଶେଷ କରି ଗୃହପାଳିତ ପଶୁ ଯଥା ଛେଳି, ମେଣ୍ଢା, ଗାଈ. ବଳଦ ଆଦି ପଶୁ, ପକ୍ଷୀ ଚିକିତ୍ସିତ ହେଉଥିଲେ । ଆଧୁନିକ ଯନ୍ତ୍ରପାତି ବ୍ୟବହାର ଯୋଗୁ ଗାଈ, ବଳଦର ଚାହିଦା ଧିରେ ଧିରେ କମିବାରେ ଲାଗିଛି । ଓଡ଼ଗାଁରେ ଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟଳୟ ଏବେ ଏକ ଛୋଟ ଜଙ୍ଗଲରେ ପରିଣତ ହୋଇଛି । ଏଠାରେ ଆଲୋକୀକରଣ ସୁବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ହେବା ମାତ୍ରେ ମଦୁଆମାନଙ୍କୁ ଏହି ପରିବେଶ ବେଶ ସୁହାଉଥିବା କିଛି ବ୍ୟକ୍ତି ଅଭିଯୋଗ କରି କହିଛନ୍ତି । ସନ୍ଧ୍ୟା ହେବା ମାତ୍ରେ ମଦ୍ୟପମାନେ ଏଠାକୁ ଆସି ଆଡ୍ଡା ଜମାନ୍ତି ।

ଭିତରେ ମଦ୍ୟପାନ କରି ମଦ ବୋତଲ ଏବଂ ପାଉଚ ଜରି ଆଦି ପକାଇଥାନ୍ତି । ଚତୁଃପାଶ୍ୱ ଲଟାବୁଦାରେ ପରିପୂର୍ଣ୍ଣ ହୋଇଥିବାସ୍ଥଳେ ସରୀସୃପଙ୍କ ବାସସ୍ଥଳୀ ପରି ମନେ ହୁଏ । ଏପଟେ ପରିବେଶ ସଫା ସୁତୁରା ନ ଥିବାରୁ ଗୃହ ପାଳିତ ପଶୁ, ପକ୍ଷୀ କିମ୍ବା ଚାଷୀ କେତେବେଳେ ଯେ କ’ଣ ଅଘଟଣ ନ ଘଟିବ ତାହା କହିବା ଅସମ୍ଭବ। ବର୍ଷ ବର୍ଷ ଧରି ଚିକିତ୍ସାଳୟ ଅବ୍ୟବସ୍ଥା ଘେରରେ ଥିଲେ ମଧ୍ୟ ନିଘୋଡ଼ ନିଦ୍ରାରେ ଶୋଇଛି ପଶୁ ସଂପଦ ବିଭାଗ । କେବଳ କାଗଜ କଲମରେ ସବୁ ଠିକ୍ ଠାକ ଦର୍ଶାଯାଉଛି ।
ପ୍ରତିଦିନ ଏଠାକୁ ବ୍ଲକର ପଶୁ ଚିକିତ୍ସକ ଏବଂ ଅନ୍ୟ କର୍ମଚାରୀମାନେ ଆସିଥାନ୍ତି । ପରିସରର ଅବସ୍ଥା ସଂପର୍କରେ ସବୁ ଜାଣି ଚୁପ୍ ରହୁଛନ୍ତି । ଚିକିତ୍ସାଳୟର ପରିସର ମଧ୍ୟରେ ଆଲୋକୀକରଣର ଅବ୍ୟବସ୍ଥା ଏବଂ ଗେଟ୍ ଖୋଲା ରଖିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତୁରନ୍ତ ଚିକିତ୍ସାଳୟ ଗେଟ ଏବଂ ଲାଇଟର ଲଗାଇବା ସହିତ ପରିବେଶ ସଫା ସୁତୁରା କରିବାକୁ ସାଧାରଣରେ ଦାବି ହୋଇଛି ।

No Result
View All Result