ହିଞ୍ଜିଳିକାଟୁ,ରିପୋର୍ଟ / ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ରବାସୀ ଫେରନ୍ତାଙ୍କ ବ୍ୟାଗ ପାଇଁ ଗ୍ରାମରେ ଆଲୋଡନ/ ୫ ମଇ, ମଙ୍ଗଳବାର :- ମହାମାରୀ କରୋନା ସଂକ୍ରମଣ ନେଇ ସବୁଠାରେ ଭୟଓ ଆଶଙ୍କାର ବାତାବରଣ ଦେଖାଦେଇଛି । ରାଜ୍ୟରେ ସଂକ୍ରମିତ ଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉ ଥିବାରୁ ପ୍ରଶାସନ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ସରପଞ୍ଚ ମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କଲାପରେ ଗାଁ ଗାଁ ରେ କରୋନା ମୁକାବିଲା ପାଇଁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ଗ୍ରାମବାସୀ ଏଥିପାଇଁ ଏକଜୁଟ ହୋଇ ପ୍ରଶାସନ କୁ ସହଯୋଗ କରିବା ପାଇଁ ଦୃଢ଼ ନିଷ୍ପତ୍ତି ବି ନେଇଛନ୍ତି । ତଥାପି ପ୍ରବାସୀ ଫେରନ୍ତାଙ୍କ ପାଇଁ ସଂକ୍ରମଣର ଭୟ ସମସ୍ତଙ୍କ ମନରେ ଦୃଢ଼ୀଭୂତ ହୋଇଛି ।
ପ୍ରବାସୀ ଫେରନ୍ତାଙ୍କୁ ନେଇ ବିଭିନ୍ନ ସମୟରେ ବହୁ ଦୁଃଖ ଦାୟକ ଏବଂ ଅପ୍ରୀତିକର ଘଟଣା ସାମ୍ନାକୁ ଆସୁଥିବା ବେଳେ ଜଣେ ପ୍ରବାସୀଙ୍କ ବ୍ୟାଗକୁ କେନ୍ଦ୍ରକରି ଗ୍ରାମରେ ଆଲୋଡନ ସୃଷ୍ଟି ହୋଇଛି । ଏଭଳି ରୋଚକ ଘଟଣା ସୋମବାର ହିଞ୍ଜିଳିବ୍ଲକ ବୁରୁପଡା ଗ୍ରାମରେ ରାତ୍ର ପ୍ରାୟ ସାଢ଼େ ୮ ସମୟରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରଶାସନ ପକ୍ଷରୁ କିଛି ପ୍ରବାସୀଙ୍କୁ ନେଇ ଏକ ଯାତ୍ରୀବାହୀ ବସ ହିଞ୍ଜିଳିକାଟୁ ପାର ହୋଇ ଶେରଗଡ଼ ଅଭିମୁଖେ ଯାଉଥିଲା । ବସରେ ଥିବା ଜଣେ ପ୍ରବାସୀ ସାଥିରେ ଆଣିଥିବା ଏକ ବ୍ୟାଗକୁ ବୁରୁପଡା ସ୍କୁଲ ନିକଟରେ ନିଜ ଶଶୁରକୁ ବଢ଼ାଇଦେଇ ଚାଲି ଯାଇଥିଲେ ।
ପରେ ଉପସ୍ଥିତ ଥିବା ଲୋକେ ସଂକ୍ରମଣ ଭୟରେ ବ୍ୟାଗ ସହ ବୃଦ୍ଧ ଙ୍କୁ ଗ୍ରାମରେ ପୁରାଇ ଦେଇନଥିଲେ । ବ୍ୟାଗକୁ ପାଣିଢାଳି ଧୋଇବା ପରେ ଵୃଦ୍ଧଙ୍କୁ ଉଷୁମ ପାଣିରେ ଗାଧୋଇ ବିଶୋଧନ ହେବା ପାଇଁ ଉପସ୍ଥିତ ଲୋକେ କହିଥିଲେ । କରୋନା ମୁକାବିଲା ପାଇଁ ଗ୍ରାମବାସୀ ଏଭଳି ସଚେତନତା ଓ ସୁରକ୍ଷିତ ପଦକ୍ଷେପମାନ ଗ୍ରହଣ କରୁଥିବା ଜଣାପଡିଛି । ପରେ ବୃଦ୍ଧ ଜଣକ ଜିନିଷପତ୍ର ବାହାର କରି ସଂକ୍ରମଣ ଭୟରେ ବ୍ୟାଗକୁ ବାହାରେ ଫୋପାଡ଼ି ଦେଇଥିବା ଜଣାପଡିଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ଖୋରାକ ସୃଷ୍ଟି କରିଛି ।