ଭୁବନେଶ୍ଵର ,ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ ) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୪ ଲକ୍ଷ ଟଙ୍କା ପ୍ରଦାନ , ୩୦ ଏପ୍ରିଲ, ଗୁରୁବାର : – ଭୁବନେଶ୍ୱର, କରୋନା ଭୂତାଣୁ ମୁକାବିଲା ପାଇଁ ନିଖିଳ ଓଡିଶା ଟେଣ୍ଟ ହାଉସ୍ ମାଲିକ ଓ ସପ୍ଲାୟର୍ସ ସଂଘ, ଭୁବନେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ସଂଘର ସଭାପତି ଶ୍ରୀ ଦ୍ୱାରିକାନାଥ ପଣ୍ଡା, ସଂଘର ଅନ୍ୟ କାର୍ଯ୍ୟକାରୀ କର୍ମକର୍ତ୍ତାଙ୍କ ସହିତ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ୪ ଲକ୍ଷ ଟଙ୍କାର ଏକ୍ ଚେକ୍ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ଅର୍ଥ ରାଶି ଗ୍ରହଣ କରି ମନ୍ତ୍ରୀ ଶ୍ରୀ ଦାସ କହିିଲେ ଯେ, କରୋନା ମହାମାରୀ ବିଶ୍ୱରେ ବିଭୀଷିକା ରଚାଇଥିବା ବେଳେ ଆମ ରାଜ୍ୟରେ ଏହାର ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବର୍ଗଙ୍କଠାରୁ ସହାୟତା ଓ ସହଯୋଗ କାମନା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଅଲ୍ ଓଡିଶା ଟେଣ୍ଟ ହାଉସ୍ ଓନର୍ସ ଆଣ୍ଡ ସପ୍ଲାୟର୍ସ ଆସୋସିଏନ୍ ତରଫରୁ ପ୍ରଦାନ କରାଯାଇଥିବା ସହାୟତା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ଶ୍ରୀ ପଣ୍ଡା କହିଲେ ଯେ, ଉପରୋକ୍ତ ସହଯୋଗ ସହିତ କରୋନା ଭୂତାଣୁ ମୁକାବିଲା ପାଇଁ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଟେଣ୍ଟ ହାଉସ୍ ଓନର୍ସ ଆଣ୍ଡ ସପ୍ଲାୟର୍ସ ଆସୋସିଏସନ୍ ତରଫରୁ ସ୍ୱତନ୍ତ୍ର ଭାବେ ୨ ଲକ୍ଷ ଟଙ୍କାର ସୁଖିଲା ଖାଦ୍ୟ ଗରୀବ ଓ ନିରାଶ୍ରୟ ଲୋକମାନଙ୍କୁ ବଣ୍ଟନ କରାଯାଇଛି ଏବଂ ଏଭଳି ,ସହୟତା ଜାରି ରହିଛି ।
ସେହିଭଳି ସେମାନଙ୍କର ଜିଲ୍ଲା ସ୍ତରୀୟ ସଂଘ ଦ୍ୱାରା ମଧ୍ୟ ବିଭିନ୍ନ ଜିଲ୍ଲାରେ ଅନ୍ୟାନ୍ୟ ସହାୟତା ପ୍ରଦାନ ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି । ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ ସମୟରେ ସଂଘର ଅଧ୍ୟକ୍ଷ ଶ୍ରୀ ଅଟଳ ବିହାରୀ ଜେନା, ସଂପାଦକ ଶ୍ରୀ ମନୋରଞ୍ଜନ ସାହୁ, ଯୁଗ୍ମ ସଂପାଦକ ଶ୍ରୀ ଉପେନ୍ଦ୍ର କୁମାର ପଣ୍ଡା, ଉପଦେଷ୍ଠା ଶ୍ରୀ ପ୍ରବୋଧ କୁମାର ଦାସ, କୋଷାଧ୍ୟକ୍ଷ ଶ୍ରୀ ଜୟନାରାୟଣ ସିଂ, ସଂଘର କର୍ମକର୍ତ୍ତା ଶ୍ରୀ ଗୁରୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।