ମୁମ୍ବାଇ ,ରିପୋର୍ଟ / ଦୀପ୍ତିମାନ୍ ପତି ( ଓଡିଶା ତାଜା ନ୍ୟୁଜ୍ )ବଲିଉଡ୍ରେ ଶୋକର ଛାୟା,୩୦ ଏପ୍ରିଲ, ଗୁରୁବାର :– ମୁମ୍ବାଇ ବଲିଉଡ ଜଗତରେ ପୁଣି ଏକ ଶୋକର ଛାୟା । ବରିଷ୍ଠ ଅଭିନେତା ଋଷି କପୁରଙ୍କ ଦେହାନ୍ତ । ୨୦୧୮ ମହିହାରୁ ସେ କର୍କଟ ରୋଗରେ ପୀଡିତ ଥିଲେ । ବଲିଉଡର ପ୍ରସିଦ୍ଧ ଅଭିନେତା ଋଷି କପୁରଙ୍କ ପରଲୋକ । ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବୁଧବାର ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିଲା । ତାଙ୍କ ପତ୍ନୀ ନୀତୁ ସିଂ ତାଙ୍କ ସହିତ ଡାକ୍ତରଖାନାରେ ଉପସ୍ଥିତ ଥିଲେ ।

ଋଷି କପୁରଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ତାଙ୍କ ବଡ ଭାଇ ରଣଧୀର କପୁର ସୂଚନା ଦେଇଥିଲେ । ସେ କର୍କଟ ରୋଗରେ ପୀଡିତ ଏବଂ ନିଶ୍ବାସ ନେବାରେ ଅସୁବିଧା ଭୋଗୁଥିବା ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ବର୍ଷ ସେପ୍ଟେମ୍ବରରେ ଋଷି କପୁର ଆମେରିକାରୁ ଭାରତ ଫେରିଥିଲେ । ସେ ସେଠାରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗର ଚିକିତ୍ସା କରାଇଥିଲେ । ୨୦୧୮ ମସିହାରେ ସେ କର୍କଟ ରୋଗରେ ପୀଡିତ ଥିବା ଜଣାପଡିଥିଲା । ଏହାପରେ ସେ ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ନ୍ୟୁୟର୍କରେ ରହି ଚିକିତ୍ସା କରାଇଥିଲେ । ଯେତେବେଳେ ଋଷି କପୁର ଚିକିତ୍ସା ପାଇଁ ନ୍ୟୁୟର୍କରେ ଥିଲେ ନୀତୁ ସିଂ ତାଙ୍କ ସହିତ ରହିଥିଲେ ।