ହିଞ୍ଜିଳିକାଟୁ, ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ସଙ୍କଟରେ ଦୁଗ୍ଧ ଚାଷୀ , ବୁଧବାର ,୨୯ ଏପ୍ରିଲ :- ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା ଭୁତାଣୁ ସଂକ୍ରମଣ । ଏହାକୁ ଆଖି ଆଗରେ ରଖି ସରକାର ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରିଛନ୍ତି । ଲକଡ଼ାଉନ ପରିସ୍ଥିତି ଯୋଗୁଁ ଦୁଃଖ ଓ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ହିଞ୍ଜିଳିକାଟୁ ପୌାରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଶତାଧିକ ଦୁଗ୍ଧଚାଷୀ ଓ ଗୋପାଳକ । ହିଞ୍ଜିଳିକାଟୁ ବ୍ଳକ ସିକିରି, ରାଳବ, ଖରିଡ଼ା, ବୁରୁପୋଡ଼ା, ଶାସନ ଆମ୍ବଗାଁ, ନନ୍ଦିକ, ବାଳକୃଷ୍ଣପୁର, ପୁଟିଆପଦର, ସୂର୍ଯ୍ୟନାରାୟଣପୁରଳ ଧୋବାଡ଼ି, ମକରଝୋଳ, ସାରୁ, ସମରଝୋଳ, ବଡ଼ଖଣ୍ଡି, ରଙ୍ଗୁଣିପଲ୍ଲୀ ପ୍ରଭୃତି ପଂଚାୟତରେ ଶହଶହ ଗୋପାଳକ ପରିବାର ଦୈନିକ କ୍ଷୀର, ଦହି ଓ ଛେନା ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି ।
ମାତ୍ର ଲକଡ଼ାଉନ ବ୍ୟବସ୍ଥା ଯୋଗୁଁ ସ୍ଥାନୀୟ ଅଂଚଳର ସମସ୍ତ ମିଠା ଦୋକାନ ବନ୍ଦ ରହିଛି । ଫଳରେ ଦୁଗ୍ଧ ଚାଷୀ ମାନେ ଆଉ ଛେନା ପ୍ରସ୍ତୁତ ନକରି ଗାଁଗଣ୍ଡାରେ କମ୍ ମୂଲ୍ୟରେ କ୍ଷୀର ବିକ୍ରି କରୁଥିବାର ଦେଖିବାକୁ ମିଳୁଛି । ଗୋପାଳକ ମାନେ ପାଳିଥିବା ଗାଇ, ମଇଁଷି ମାନଙ୍କୁ ପ୍ରତ୍ୟେହ କୁଣ୍ଡା, ତୋରାଣି, ପେଜ ସାଙ୍ଗକୁ ଗୋଦାନା ଖାଇବା ପାଇଁ ଦେଇଥାନ୍ତି । ବର୍ତମାନ ସମୟରେ ଗାଇ, ମଇଁଷି ମାନଙ୍କୁ ଖାଇବାକୁ ଦେବା ଲାଗି କୁଣ୍ଡା ଓ ଗୋଦାନା କିଣିବା ପାଇଁ ମଧ୍ୟ ଟଙ୍କା ଯୋଗାଡ଼ ହୋଇ ପାରୁନାହିଁ । କ୍ଷୀରକୁ କମ୍ ମୂଲ୍ୟରେ ବିକି ଯାହା କିଛି ରୋଜଗାର ହୁଏ ସେଥିରେ ଗାଇ, ମଇଁଷି ମାନଙ୍କୁ ଖାଇବାକୁ ଦେବା ଲାଗି କୁଣ୍ଡା ଓ ଗୋଦାନା କିଣିବା ପାଇଁ ମଧ୍ୟ ଟଙ୍କା ଯଥେଷ୍ଠ ନୁହେଁ । ପରିବାର କିପରି ପ୍ରତିପୋଷଣ କରିବେ, ସେ ନେଇ ଚିନ୍ତାରେ ରହିଛନ୍ତି ସ୍ଥାନୀୟ ଅଂଚଳର ଶତାଧିକ ଗୋପାଳକ । ଏଭଳି ପରିସ୍ଥିତିରେ ସରକାର ଦୁଗ୍ଧଚାଷୀ ଓ ଗୋପାଳକ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ବହୁ ଗୋପାଳକ ଅନୁରୋଧ କରିଛନ୍ତି ।