ଓଡ଼ିଶା ତାଜା ନ୍ୟୁଜ୍ (୨ ନଭେମ୍ବର ମଙ୍ଗଳବାର) ଭୁବନେଶ୍ୱର :- ଗଳ୍ପ ଜରିଆରେ ଭାରତ ବିଶ୍ୱକୁ ଯୁଗେ ଯୁଗେ ଜ୍ଞାନ ବିତରଣ କରିଆସିଛି । ଆମର ମହାକାବ୍ୟ, ପୁରାଣ, ଉପନିଷଦ ଇତ୍ୟାଦି କାହାଣୀ ଆଧାରରେ ଗଢ଼ି ଉଠିଛନ୍ତି ା ନିଜ ଅଭିଜ୍ଞତାକୁ ସତ୍ୟଶୀଳ ଭାବରେ ପରିବେଷଣ କରିବାରେ ହିଁ ଗଳ୍ପର ସାର୍ଥକତା ବୋଲି ବିଶିଷ୍ଟ କଥାକାର ତଥା ସ୍ତମ୍ଭକାର ଦାଶ୍ ବେନ୍ହୁର ମତ ଦେଇଛନ୍ତି । ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସାରସ୍ୱତ କାର୍ଯ୍ୟକ୍ରମରେ ଯୋଗଦେଇ ସାହିତ୍ୟ ପାରସ୍ପରିକ ସହୃଦୟତାର କଥା କହେ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତରୁଣ କଥାକାର ଶୈଳେନ୍ଦ୍ର ଜେନାଙ୍କ ଗଳ୍ପ ପୁସ୍ତକ’ଛତା’ ଲୋକାର୍ପିତ ହୋଇଥିଲା । କଥାଶିଳ୍ପୀ ଡ. ହିରଣ୍ମୟୀ ମିଶ୍ର କଥାକାର ନିଜ ଚରିପାଖର ଚରିତ୍ର ଓ ଚିତ୍ରକୁ ଉପଯୋଗ କରି ପାଠକଙ୍କୁ ଗଳ୍ପ ସହ ଏକାତ୍ମ କରିପାରେ ବୋଲି କହିଥିଲେ । ଅଧ୍ୟାପକ ନେତାଜୀ ଅଭିନନ୍ଦନ ପୁସ୍ତକ ସଂପର୍କରେ ଆଲୋଚନା କରିବାବେଳେ ଗାଳ୍ପିକ ଶ୍ରୀ ଜେନା ମଧ୍ୟ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ତରୁଣ କବି ଶକ୍ତି ମହାନ୍ତି ‘ଏ ମାସର କବି’ ଭାବରେ ନିଜର ତିନୋଟି କବିତା ଆବୃତ୍ତି କରିଥିଲେ ।
ବିଜନବାଳା ପାଟ୍ଟଯୋଶୀଙ୍କ ସଂଯୋଜନାରେ ଡ. ଅଭୟ ନାରାୟଣ ନାୟକ, ମିହିରକାନ୍ତି ଦାଶ, ଡ. ପ୍ରମୋଦ କୁମାର ପଣ୍ଡା, ବିଜୟଲକ୍ଷ୍ମୀ ସାହୁ, ସୁନନ୍ଦା ମିଶ୍ର, ଡ.ରଶ୍ମୀ ଦାସ, ଡ. ରମେଶ ପ୍ରସାଦ ମହାନ୍ତି, ପବିତ୍ର ମୋହନ କର, ଉମାକାନ୍ତ ରାଉତ (ଅରୂପ), ପିତାମ୍ବର ଭୋଇ, ସଂଜୁଲତା ମହାନ୍ତି ପଟ୍ଟନାୟକ, ପି୍ରୟରଂଜନ ସାହୁ, ସୁଧୀର ମଉଡ଼ମଣି, ଶାକ୍ୟସିଂହ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ । ମିନତି ଦାଶ (ମାନି) ଧନ୍ୟବାଦ ଅର୍ପଣ କରିଥିଲେ ।