ହିଞ୍ଜିଳିକାଟୁ ,ରିପୋର୍ଟ /ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ୪୦ରୁ ଉର୍ଦ୍ଧ୍ୱ କମାରଶାଳ ବନ୍ଦ,ରବିବାର ୨୬ ଏପ୍ରିଲ ୨୦୨୦ :- କରୋନା ଭୁତାଣୁ ସଂକ୍ରମଣ ପାଇଁ ନିରବି ଯାଇଛି କମାରଶାଳର ଠକ୍ ଠକ୍ ଶବ୍ଦ । ଚାଷ କାର୍ଯ୍ୟ ଅବ୍ୟବହିତ ପୂର୍ବରୁ ଲଙ୍ଗଳ, କୋଦାଳ ସହ ଅନ୍ୟାନ ଚାଷ ଉପକରଣ ପାଇଁ ବିଭିନ୍ନ କାରଗୀଙ୍କ ପାଖରୁ ବରାଦ ଆସିଥାଏ । ଏପରିକି କାମ ଆରମ୍ଭ କରିବା ପୂର୍ବରୁ କିଛି ଅଗ୍ରୀମ ଟଙ୍କା ମଧ୍ୟ ଦେଇଥାନ୍ତି । ହେଲେ ଚଳିତ ବର୍ଷ କରୋନା ଭୁତାଣୁ ସଂକ୍ରମଣ କଟକଣା ଯୋଗୁଁ ନା ଖୋଲୁନି କମାରଶାଳ କି ନା ମିଳୁଛି ବରାଦ ନା ମିଳୁଛି ଅଗ୍ରୀମ ଟଙ୍କା । ଫଳରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ଗଢି ଉଠିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ୱ କମାରଶାଳ ବନ୍ଦ ରହିଛି । ଯଦ୍ୱାରା କମାରଶାଳ କାରିଗରଙ୍କ ଚିନ୍ତା ବଢିଯାଇଛି ।
ରୋଜଗାର ହରାଇ କିପରି ପରିବାର ପ୍ରତିପୋଷଣ କରିବେ, ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ବିଗତ ଦିନରେ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳରେ ଶହେରୁ ଉର୍ଦ୍ଧ୍ୱ କମାରଶାଳ ଚାଲୁଥିଲା । ହେଲେ ଆଧୁନିକ ଜ୍ଞାନକୌଶଳ ଯୋଗୁଁ ଚାଷୀ ମାନେ ଆଧୁନିକ ପ୍ରଣାଳୀରେ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଚାଷ କାର୍ଯ୍ୟ କରି କମ ସମୟ ଓ କମ୍ ପରିଶ୍ରମରେ ଅଧିକ କାର୍ଯ୍ୟ ହାସଲ କରି ପାରୁଛନ୍ତି । ଫଳରେ ଗତ କିଛି ବର୍ଷ ଧରି ସ୍ଥାନୀୟ ଅଂଚଳର ବହୁ କମାରଶାଳ ବନ୍ଦ ହୋଇଗଲାଣି । ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବିଭିନ୍ନ ଗ୍ରାମରେ ଏବେ ବି ୪୦ରୁ ଉର୍ଦ୍ଧ୍ୱ କମାରଶାଳା ରହିଛି । ଅଳ୍ପ କାମ ବରାଦ ହେଉଥିଲେ ମଧ୍ୟ କଷ୍ଟେମଷ୍ଟେ କମାର କାରିଗର ମାନେ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଚାଷ କାର୍ଯ୍ୟାରମ୍ଭ ପୂର୍ବରୁ ମଧ୍ୟମ ଧରଣର ରୋଜଗାର ହୋଇଥାଏ । ଯାହା କିଛି ଉପାର୍ଜନ ହୁଏ, ସେଥିରେ ୪/୫ ମାସ ପର୍ଯ୍ୟନ୍ତ ପରିବାର ପ୍ରତିପୋଷଣ ପାଇଁ ସହାୟକ ହୋଇଥାଏ ।
ଅନ୍ୟ ଦିନ ଗୁଡ଼ିକରେ ଛୋଟମୋଟ କିଛି ବି କାର୍ଯ୍ୟ କରିବାକୁ ମିଳିଥାଏ, ଯାହା ଫଳରେ କଷ୍ଟେମଷ୍ଟେ ପରିବାର ଚଳିଯାଏ । ଲୁହାରେ ତିଆରି ବିଭିନ୍ନ ସାମଗ୍ରୀ ହାଟ ବଜାରରେ ବିକ୍ରି ହୋଇଥାଏ । ଏପରିକି ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ବେଶ ଭଲ କାମ ମିଳିବା ସହ ଅଧିକ ଦୁଇ ପଇସା ରୋଜଗାର ହୋଇଥାଏ ବୋଲି ବହୁ କମାର କାରିଗର କହିଛନ୍ତି । କାରଣ ଚାଷ କାର୍ଯ୍ୟ ପାଇଁ ବ୍ୟବହୃତ ଲଙ୍ଗଳ, କୋଦାଳ, ଫାଳ, ଶାବଳ ଆଦି ଚାଷ ଉପକରଣ ତିଆରି ପାଇଁ ବରାଦ ମିଳିଥାଏ । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ହାଟ ବଜାର ଖୋଲୁନି କି ଏଯାଏଁ ଚାଷ କାମ ଆରମ୍ଭ ହୋଇପାରିନି । ପୂର୍ବରୁ ଯାହା କିଛି ତିଆରି କରି ଘରେ ରଖିଛନ୍ତି ବଜାର ବନ୍ଦ ରହିଥିବା ଯୋଗୁଁ ବିକ୍ରି ହୋଇପାରୁନି । ଲକଡ଼ାଉନ ଅବଧି ବୃଦ୍ଧି ପାଉଥିବାରୁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଏଭଳି ବିପଦ ସମୟରେ କମାର ଶ୍ରେଣୀର କାରିଗରଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି ।