ଭୁବନେଶ୍ୱର, ରିପୋର୍ଟ /ସୋନାଲି (ଓଡିଶା ତାଜା ନ୍ୟୁଜ୍ ) ଅକ୍ଷୟ ତୃତୀୟା ,ରବିବାର ୨୬ ଏପ୍ରିଲ ୨୦୨୦ :- ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ମଧ୍ୟ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟ ଶୁଭାରମ୍ଭ କରାଯାଏ । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ ।
ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଏବଂ ମୁଠି ଅନୁକୂଳ କରେ । ଏହାକୁ ଅକ୍ଷିମୁଠି କୁହାଯାଏ । ଅକ୍ଷୟ ତୃତୀୟା ଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ବ୍ରତୋପନୟନ ପ୍ରଭୃତି ଶୁଭକାର୍ଯ୍ୟ କରାଯାଇଥାଏ । ରଥ ନିର୍ମାଣ ଅନୁକୂଳ ଏବଂ ଚନ୍ଦନ ଯାତ୍ରା ଆରମ୍ଭ – ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କର ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥାଏ । ସେହିପରି ଅକ୍ଷୟ ତୃତୀୟା ତିଥିଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ ।