ନୟାଗଡ଼ ଜିଲ୍ଲାର (ଓଡିଶା ତାଜା ନ୍ୟୁଜ୍ ) ରଣପୁର ,୨୪ଏପ୍ରିଲ,ଶୁକ୍ରବାର :- କୋଳେଇ କାଖେଇ ପିଲାଟି ଦିନରୁ ବାପା ପିଲାମାନଙ୍କୁ ମଣିଷ କରି ବାହାର ରାଜ୍ୟରେ ଚାକିରି କରାଇବା ନେଇ ଯୋଗ୍ୟ କଲେ। ମାତ୍ର ଶେଷ ସମୟରେ ବାପାଙ୍କ ସାହା ହୋଇ ପାରିଲେ ନାହିଁ ରୋଜଗାରିଆ ପୁଅ। ଏମିତିକି ମୃତ ସମୟରେ ବାପା ଗେହ୍ଲା ପୁଅର ମୁହଁ ବି ଦେଖି ପାରିଲେ ନାହିଁ। କରୋନା ମହାମାରି ନେଇ ସାରା ଦେଶରେ ଲକ୍ ଡ଼ାଉନ୍ ବଳବତ୍ତର ଥିଲାବେଳେ ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ୟୁନିଟ୍ ୱାନ୍ରେ। ଗତକାଲି ବିଳମ୍ବିତ ରାତିରେ ସଚିବାଳୟ ସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ହଜାରୀ ପ୍ରଧାନ(୮୨) ତାଙ୍କ ବାସ ଭବନରେ ହୃଦଘାତ ନେଇ ପରଲୋକ ହୋଇଛି। ଅନ୍ତିମ ସମୟରେ ବାପା ନିଜ ପୁଅମାନଙ୍କୁ ନିକଟରେ ପାଇବା ପାଇଁ ମହାପ୍ରଭୂଙ୍କ ନିକଟରେ ଯେତେ ଆକୁଳ ନିବେଦନ କରିଥିଲେ ମାତ୍ର ବିଧିର ବିଧାନ ଥିଲା କିଛି ଅଲଗା ।
ହଜାରୀଙ୍କ ବଡ଼ପୁଅ ସୁସିଲ୍ ପ୍ରଧାନ, ମଝିଆ ପୁଅ ସୁରେଶ ପ୍ରଧାନ ଓ ଝିଅମାନେ ଭୁବନେଶ୍ବରରେ ଥିବାରୁ ବାପାଙ୍କ ନିକଟରେ ପହଞ୍ଚି ତୁରନ୍ତ ସାନ ଭାଇ ସୁକାନ୍ତ କୁମାର ପ୍ରଧାନଙ୍କୁ ଚେନ୍ନାଇରୁ ଚାଲିଆସିବାପାଇଁ କହିଥିଲେ। ସୂଚନା ପାଇବା ମାତ୍ରେ ସୁକାନ୍ତ ଚିନ୍ନାଇ ସରକାରଙ୍କ ଠାରୁ ଗାଡ଼ି ପାସ୍ ଯୋଗାଡ଼କରି ଓଡ଼ିଶା ଆସିବାପାଇଁ ଯୋଗାଡ଼ଯନ୍ତ୍ର କରୁଥିବା ବେଳେ ସୂଚନା ପାଇଲେ ତାଙ୍କ ବାପା ଆଉ ନାହାଁନ୍ତି। ଚେନ୍ନାଇର ଏକ ପ୍ରତିଷ୍ଠିତ ଘରୋଇ କମ୍ପାନିରେ ପରିଚାଳକ ଭାବେ କାର୍ଯ୍ୟକରୁଥିବା ସୁକାନ୍ତ ଭାଙ୍ଗିପଡ଼ିଥିଲେ। ଅପରପକ୍ଷରେ ଓଡ଼ିଶା ସିମା ସିଲ୍ ଥିବାରୁ ସେ ଆଉ ଓଡ଼ିଶା ଆସିପାରି ନଥିଲେ। ଭିଡ଼ିଓ କଲିଂ ମାଧ୍ୟମରେ ବାପାଙ୍କ ପୁରା ଅନ୍ତିମ ସଂସ୍କାର ଦୃଶ୍ୟକୁ ଦେଖି ଶୋକ ପ୍ରକାଶ କରିଥିଲେ ।
ବାପା ସ୍ବାସ୍ଥ୍ୟ ବିଭାଗ ସହିତ ଜଡ଼ିତ ଥିବାରୁ ଅନେକ ଡ଼ାକ୍ତର ଓ ସଚିବାଳୟ କାର୍ଯ୍ୟରତ କର୍ମଚାରୀ ତାଙ୍କ ମୃତ୍ୟୁ ନେଇ ଶୋକବ୍ୟକ୍ତ କରିଥିଲେ। ମାତ୍ର ସାନ ପୁଅ ସୁକାନ୍ତଙ୍କ ଭଳି ତାଙ୍କ ଅନ୍ତିମ ଦର୍ଶନ କରିବାପାଇଁ ବାସଭବନ ନିକଟରେ ଉପସ୍ଥିତ ହୋଇପାରି ନଥିଲେ। କରୋନା ସମସ୍ତଙ୍କୁ ଲକ୍ ଡ଼ାଉନ୍ କରି ଦେଇଥିବା ବେଳେ ୟୁନିଟ୍ ୱାନ୍ ଅଞ୍ଚଳର ମେଳାପି ବ୍ୟକ୍ତିତ୍ବ ହଜାରୀ ଚାଲିଗଲା ବେଳେ କେହି ତାଙ୍କୁ ଦେଖାକରିବା ପାଇଁ ସୁଯୋଗ ପାଇନଥିଲେ। ଏମିତିକି ଦେଉଳି ଗ୍ରାମ ରଣପୁର ନୟାଗଡ଼ ଜିଲ୍ଲାରେ ହଜାରୀଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ମଧ୍ୟ ସେଠାରେ ଲକ୍ ଡ଼ାଉନ ର ପ୍ରଭାବ ମଧ୍ୟ ଦେଖା ଯାଇଥିଲା। ଭିଟାମାଟିର ସ୍ମଶାନରେ ହାତ ଗଣତି ବନ୍ଧୁ ବର୍ଗ ଓ ବଡ଼ ଦୁଇ ପୁଅଙ୍କ ବ୍ୟତିତ ଆଉ କେହି ନଥିଲେ ସେମାନଙ୍କ ନିକଟରେ ।
ମାତ୍ର ଚିନ୍ନାଇରେ ଚାକିରି କରିଥିବା ବାପାଙ୍କ ଗେହ୍ଲା ସାନପୁଅ ସୁକାନ୍ତ ସବୁ କିଛି ଭିଡ଼ିଓ କଲିଂ ମାଧ୍ୟମରେ ଦେଖି ଆତ୍ମସନ୍ତୋଷ କରିଥିଲେ। ଏମିତିକି ଭିଡ଼ିଓ କଲିଂ ମାଧ୍ୟମରେ ଦୁଇ ଭାଇ ପରେ ବାପାଙ୍କୁ ମୁଖାଗ୍ନୀ ଦେଇ ଶେଷ ପ୍ରଣାମ କରିଥିଲେ। ଶେଷରେ ସେ ନିଜେ ପରିପ୍ରକାଶ କରିଥିଲେ କରୋନାର ପ୍ରକୋପ କେତେ ଭୟଙ୍କର ହୋଇପାରେ। ଏପରି ସମୟରେ କେବଳ ବିପତ୍ତିର ସାମ୍ମନା କରୁଥିବା ଲୋକମାନେ ହିଁ ଅନୁଭବ କରିପାରିବେ କରୋନା କଣ’ ଓ ଏହା କେତେ ଭୟଙ୍କର । ଯାହା ଜୀବନର ଅନ୍ତିମ ସତ୍ୟ ମୃତ୍ୟୁକୁ ବି ବଳିଯାଇଛି। ଲକ୍ ଡ଼ାଉନ୍ ସମୟରେ କିଛି ଲୋକ ମାନଙ୍କ ପାଖରେ ସବୁକିଛି ଥାଇବି ସେମାନେ ନିରୁପାୟ ହୋଇ ହାତବାନ୍ଧି ପରିସ୍ଥିତିର ଦାସ ପାଲଟି ଯାଇଛନ୍ତି।