ବାଲେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ପ୍ରଶାସନ ତତ୍ପର ଓ ସାନିଟାଇଜ , ରିପୋର୍ଟ – ଦୀପ୍ତିମାନ୍ ପତି 22.4.2020 ଏପ୍ରିଲ, ବୁଧବାର :- ଗତକାଲି କରୋନା ପଜିଟିଭ ସଂଖ୍ୟା ଏକା ଥରକେ ୧୩ ବୃଦ୍ଧି ପାଇବା ପରେ ସମସ୍ତଙ୍କ ନଜର ଥିବା ବାଲେଶ୍ୱର ଜିଲ୍ଲା ଉପରେ । ତେଣୁ ବାଲେଶ୍ୱରରେ ଲାଗୁ ହୋଇଥିବା କଟକଣା, କଣ୍ଟେନମେଣ୍ଟ ଯୋନକୁ ସମସ୍ତ ମହଲରୁ ପ୍ରଂଶସା କରିଛନ୍ତି । କିନ୍ତୁ ଗତକାଲି ହଠାତ ୫ଟି ମାମଲା ବାଲେଶ୍ୱରରୁ ଆସିବାରୁ ଏହା ଜିଲ୍ଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏହି କରୋନା ଆତଙ୍କ ମଧ୍ୟରେ ଅନେକ କଟକଣାକୁ ଫାଙ୍କି କଲିକତାରୁ ବିଭିନ୍ନ ଗଳାରାସ୍ତାରେ ଜିଲ୍ଲାରେ ପହଞ୍ଚିଛନ୍ତି ।
ବର୍ତ୍ତମାନ ଏତେ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ଆରମ୍ଭ ହୋଇଯାଇଛି । ସମସ୍ତ ୫ ବାଲେଶ୍ୱରର ହୋଇଥିବାରୁ ଜିଲ୍ଲାପ୍ରଶାସନ କରିଥିବା କଟକଣାକୁ କଡାକଡି କରିବାକୁ ବାଧ୍ୟ ହୋଇଛି ।ଏହା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ସାନିଟାଇଜର ବ୍ୟବସ୍ଥା ଆରମ୍ଭ ହୋଇଛି । ଏଥିସହ କିଛି ସଂକ୍ରମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବାରୁ କିଛି ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହା ବ୍ୟତୀତ ଉପରୋକ୍ତ ବ୍ଲକଗୁଡିକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଯେଉଁ ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ସେହି ଅଞ୍ଚଳ ଓ ତାର ଆଖପାଖ ଅଞ୍ଚଳକୁ ସାନିଟାଇଜ କରାଯାଉଛି । ଏହା ସହ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟ କରାଯାଇ ସେମାନଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି ।
ଜିଲ୍ଲାରୁ ବହୁ ଲୋକ ପଶ୍ଚିମବଙ୍ଗ ଯାଇ ରୋଜଗାର କରିଥାନ୍ତି । ଏବେ ସେମାନଙ୍କ ମଧ୍ୟରୁ ଅନେକ ଆସିଯାଇଛନ୍ତି । କିଛି ପୂର୍ବରୁ ଆସିଥିବ।ରୁ ସେମାନଙ୍କୁ ନେଇ କୌଣସି ଚିନ୍ତା ନାହିଁ । କାରଣ ଲକଡାଉନର ୨୮ ଦିନ ହୋଇଗଲାଣି । ତେଣୁ ସେମାନଙ୍କ ମଧ୍ୟରୁ କେହି ସଂକ୍ରମିତ ହୋଇଥିଲେ ତାହା ଜଣାପଡିଥାନ୍ତି । କିନ୍ତୁ ଦ୍ୱିତୀୟ ଲକଡାଉନ ବୃଦ୍ଧିକୁ ନେଇ ଲୋକେ ଅଭାବ ଅନଟନ ପାଇଁ ଗାଁକୁ ଚାଲିଆସୁଛନ୍ତି । ଗାଡି ମଟର ଅଭାବରୁ କିଏ ଆମ୍ବୁଲାନ୍ସରେ ଆସୁଛନ୍ତି ତ ପୁଣି କିଏ ଚାଲି ଚାଲି ବିଲ ବାଡ ଦେଇ ଚାଲିଆସୁଛନ୍ତି । ଏମାନଙ୍କ ମଧ୍ୟରୁ ବହୁତ ଜଣ ବର୍ତ୍ତମାନ ନିଜ ନାମ ପଞ୍ଜିକୃତ କରିଥିବା ବେଳେ ଜିଲ୍ଲାବାସୀ କହୁଛନ୍ତି ଆହୁରି ଅନେକ ଅଛନ୍ତି, ଯେଉଁମାନେ ନାମ ପଞ୍ଜିକରଣ ନ କରି ଲୁଚି ରହିଛନ୍ତି । ଫଳରେ ସେମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେମାନେ ସଂକ୍ରମିତ ହେବା ସମ୍ଭାବନା ରହିଛି । ତେବେ ସବୁ ଦିଗକୁ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଦୃଷ୍ଟିରେ ରଖିଛନ୍ତି ।