ହିଞ୍ଜିଳିକାଟୁ , (ଓଡିଶା ତାଜା ନ୍ୟୁଜ୍ ) ଜୋରିମାନା ଆଦାୟ – ଶେଷଦେବ ସାହୁ , ରିପୋର୍ଟ 22.4.2020ଏପ୍ରିଲ, ବୁଧବାର :- ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ଉପାୟରେ ଜନ ସଚେତନତା ଜାରି ରଖିଛନ୍ତି । ଆସ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌରାଂଚଳବାସୀଙ୍କୁ ହାତ ପାହାନ୍ତାରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ସକାଶେ ହୋମ୍ ଡ଼େଲିଭରି ସମେତ ଗ୍ରୀନ୍ ହୁଇଲ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଅତ୍ୟାବଶ୍ୟକ ହେଲେ ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସମ୍ମୁଖରେ ମାସ୍କ ଓ ସାମାଜିକ ଦୂରତା ନାହିଁ ତ ସାମଗ୍ରୀ ନାହିଁର ବୋର୍ଡ଼ ଟଙ୍ଗାଯାଇଛି । ହେଲେ କିଛି ଅମାନିଆ ଯୁବକ ଏହାକୁ ମାନିବାକୁ ନାରାଜ । ଏଭଳି ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୌର ପ୍ରଶାସନ ବୁଧବାର କଡ଼ା ପଦକ୍ଷେପ ଗ୍ରହଣ କରିଛି ।
ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ନେତୃତ୍ୱରେ ପୌର କର୍ମଚାରୀ ପୌରାଂଚଳର ବିଭିନ୍ନ ସ୍ଥାନ ବୁଲିବା ସହ ମାସ୍କ ବ୍ୟବହାର ନକରି ବଜାର ସଉଦା କରିବାକୁ ଆସିଥିବା ୨୫ ଜଣଙ୍କ ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହ ମାଗଣାରେ ମାସ୍କ ପ୍ରଦାନ କରି ବ୍ୟବାହାର କରିବାକୁ ସଚେତନ କରାଇଥିଲେ । ସେହିପରି ପୌରାଂଚଳର ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସାମାଜିକ ଦୁରତ୍ୱ ରକ୍ଷା କରୁନଥିବାରୁ ୬ଟି ବ୍ୟବସାୟିକ ଅନୁଷ୍ଠାନରୁ ୬ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଲକଡ଼ାଉନ ସମୟରେ ଖିଲାପକାରୀଙ୍କ ଠାରୁ ଏଭଳି ଜୋରିମାନା ଆଦାୟ କରାଯିବ ବୋଲି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କହିଛନ୍ତି ।