No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :- ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିସ୍ରା ବ୍ଲକ୍ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲାଠାରେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ପରେ ବିଭିନ୍ନ ବ୍ଲକ୍ରେ ମନ୍ତ୍ରୀଗଣ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ଏହି କାର୍ଡ ବଣ୍ଟନ କରିଥିଲେ । ଏହି ଯୋଜନାରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢ଼େ ତିନିକୋଟି ଲୋକ ଉପକୃତ ହେବାକୁ ଥିବାବେଳେ ଗତ ଅଗଷ୍ଟ ୨୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଥମେ ଏହାକୁ ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ କରିଥିଲେ ।

ଏହି କ୍ରମରେ ଆଜି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲାର ବିସ୍ରା ବ୍ଲକ୍ରେ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ କାର୍ଡ ବଣ୍ଟନ କରିବା ସହ ଏହାର ଉପକାରିତା ବିଷୟରେ ବୁଝାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି କଲ୍ୟାଣକାରୀ ଯୋଜନା ଫଳରେ ସାଧାରଣ ଗରିବ ଲୋକଟିକୁ ଆଉ ଚିକିତ୍ସା ପାଇଁ ଜମିବାଡ଼ି ବିକ୍ରି କରିବାକୁ ପଡ଼ିବ ନାହିଁ ।
ବିନା କୌଣସି ଅସୁବିଧାରେ ଏହି କାର୍ଡ ଜରିଆରେ ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲ୍ରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା ହିତାଧିକାରୀଙ୍କୁ ବୁଝାଇଥିଲେ । ସ୍ୱାସ୍ଥ୍ୟସେବାକୁ ରାଜ୍ୟର କୋଣ-ଅନୁକୋଣରେ ପ୍ରତ୍ୟେକ ବ୍ୟକ୍ତି ନିକଟରେ ଉପଲବ୍ଧ କରାଇବା ଏବଂ ବିଭିନ୍ନ ସରକାରୀ ସୁବିଧାକୁ ହିତାଧିକାରୀଙ୍କ ଦୁଆର ନିକଟରେ ପହଞ୍ଚାଇବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ତାହାକୁ ପାଳନ କରିବା ନେଇ ମନ୍ତ୍ରୀ ଶ୍ରୀ ବେହେରା ଆସନ୍ତାକାଲି ମଧ୍ୟ ବିସ୍ରା ବ୍ଲକ୍ର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରିବେ ।
No Result
View All Result