No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୩ ସେପ୍ଟେମ୍ବର ସୋମବାର ) ଭୁବନେଶ୍ୱର :- ଭୁବନେଶ୍ୱର ସହରବାସୀଙ୍କ ଏହି ଜଳବନ୍ଦୀ ଦୁର୍ଦ୍ଦଶା ପାଇଁ କେବଳ ସରକାର କି ବିଏମସିକୁ ଦାୟୀ କରି ବସିଗଲେ ଚଳିବ ନାହିଁ । ଏମିତିରେ ସାମାନ୍ୟ ବର୍ଷାରେ ସହରର ରାସ୍ତା ଘାଟରେ ଆଜିକାଲି ବର୍ଷା ପାଣି ଲହଡ଼ି ଭାଙ୍ଗୁଛି । ଆଉ ଏତେବଡ଼ ଲଗାଣ ବର୍ଷାରେ ଲୋକଙ୍କ ଦୁର୍ଦ୍ଦଶା କଥା ନ କହିବା ଭଲ । ଅଧିକାଂଶ ବସ୍ତି ଓ କଲୋନୀ ଘରେ ଆଣ୍ଠୁଏ ଉଚ୍ଚାରେ ପାଣି ଜମିଥିବାରୁ ଦୁଇଦିନ ହେଲା ଘରେ ଚୁଲି ଜଳିନାହିଁ । ଘରୁ ବାହାରିବା ବି ସମ୍ଭବ ହେଉନାହିଁ । ଆଗରୁ କେବଳ କଟକ ସହରରେ ଏହା ଦୃଶ୍ୟମାନ ହେଉଥିଲା । ମାତ୍ର କ୍ରମବର୍ଦ୍ଦିଷ୍ଣୁ ଭୁବନେଶ୍ୱରରୁ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି ।

ତେବେ ଭୁବନେଶ୍ୱର ସହରବାସୀଙ୍କ ଏହି ଜଳବନ୍ଦୀ ଦୁର୍ଦ୍ଦଶା ପାଇଁ କେବଳ ସରକାର କି ବିଏମସିକୁ ଦାୟୀ କରି ବସିଗଲେ ଚଳିବ ନାହିଁ । ଏଥିପାଇଁ ମୁଷ୍ଟିମେୟ ଲୋକେ ଯେ ସମ ପରିମାଣରେ ଦାୟୀ ତାହା କହିବାକୁ ଅପ୍ରିୟ ହେଲେ ବି ନିରାଟ ସତ । ଏହି ମୁଷ୍ଟିମେୟ ଲୋକମାନେ ନିଜର ଅଧିକାର ପାଇଁ ଯେତେ ଯତ୍ନବାନ, ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପାଳନରେ ସେତିକି ଯତ୍ନବାନ ନୁହଁନ୍ତି । ଯାହାର ପରିଣାମ ହେଉଛି ଆଜିର ଏହି ଦୁର୍ଦ୍ଦଶା । ଏହି ମୁଷ୍ଟିମେୟଙ୍କ ପାଇଁ ଆଜି ସର୍ବସାଧାରଣଙ୍କ ଅବସ୍ଥା ବେହାଲ ହୋଇଯାଇଛି । ଆମେ ସରକାର କି ନେତାଙ୍କୁ ଗାଳି କରିବା ଯେତିକି ଠିକ୍ ନିଜର ଦାୟିତ୍ୱ ପ୍ରତି ମଧ୍ୟ ସେତିକି ସଚେତନ ହେବାର ଆବଶ୍ୟକତା ରହିଛି ।

ସମସ୍ୟାଟି ହୋଇଛି, ଡ୍ରେନେଜ୍ ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲାରୁ ଭୁବନେଶ୍ୱରର ଅନେକ ଜାଗାରୁ ଜଳ ନିଷ୍କାସନ ହୋଇପାରୁନାହିଁ । ଏହା ଆଜିର ସମସ୍ୟା ନୁହେଁ, ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି । ତେବେ ଏଥିପାଇଁ ଆଗ ଦାୟୀ ଆମ ଲୋକ । ଏହି ଡ୍ରେନେଜ୍ ବ୍ୟବସ୍ଥାକୁ ଅକାମୀ କରୁଛନ୍ତି କିଛି ଲୋକ । ସରକାର କି ବିଏମସି ପ୍ରଶାସନର ଅପାରଗତାର ସୁଯୋଗ ଏମାନେ ନେଉଛନ୍ତି । ବେଆଇନ କାମକୁ ପ୍ରଶୟ ଦେଇ ଚୁପ୍ ବସିଯାଇଛନ୍ତି । ଅନ୍ୟପକ୍ଷରେ, ବେଆଇନ ଘର ନିର୍ମାଣ କରୁଥିବା ସ୍ୱାର୍ଥପର ଜନତା ନିଜକୁ ସରକାରର ଅଂଶୀଦାର ନ ଭାବି ନିଜେ ଅସୁବିଧାରେ ପଡ଼ିଲା ବେଳକୁ ସରକାରଙ୍କୁ ଗାଳି ଦେଇ ଆନନ୍ଦ ପାଉଛନ୍ତି ।

ଗୋଟିଏ ଛୋଟିଆ ଉଦାହରଣରୁ ଏହାକୁ ଭଲ ଭାବେ ବୁଝିହେବ । କେଶୁରା, ଲକ୍ଷ୍ମୀବିହାରକୁ ବିଡ଼ିଏ ସ୍ପର୍ଶକାତର ଅଞ୍ଚଳ ଭାବେ ଚିହ୍ନଟ କରିଛି । ଏହା ରେଡ୍ ଜୋନ୍ ଅନ୍ତର୍ଭୁକ୍ତ । ଅର୍ଥାତ୍ ଏହି ଜୋନ୍ ରେ ବାସୋପଯୋଗୀ ଘର ତିଆରି କରିବା ପାଇଁ ଅନୁମତି ନାହିଁ । ମାତ୍ର ଏବେ କେଶୁରା ଓ ଲକ୍ଷ୍ମୀ ବିହାରରେ ଶହ ଶହ ଘର ତିଆରି ହୋଇଛି । ରେଡ୍ ଜୋନ୍ ରେ ଜାଗାର ମୂଲ୍ୟ ଅପେକ୍ଷାକୃତ କମ୍ ଥିବାରୁ ଲୋକମାନେ ଶସ୍ତାରେ ଜାଗା କିଣି ରାତାରାତି ଘର ତିଆରି କରୁଛନ୍ତି । ଘର ପାଇଁ ଆବଶ୍ୟକ ମ୍ୟାପିଂ ନାହିଁ । ବିଡ଼ିଏର ଅନୁମୋଦନ ନ ଥାଇ ତିନି ଚାରି ମହଲାର ଘର ବି ଛିଡା ହୋଇଛି । ଏହି ଜାଗାରେ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିଲେ ବି କାହାର ପରବାଏ ନାହିଁ । ନା ବିଡ଼ିଏ ଏହାକୁ ତଦାରଖ କରୁଛି ନା ଭାଙ୍ଗିବାକୁ ସାହସ କରୁଛି । ଆଉ ବର୍ଷାହେଲେ ସେହି ଲୋକମାନେ ହିଁ ଦୁର୍ଦ୍ଦଶା ଭୋଗୁଛନ୍ତି । ତେଣୁ ପ୍ରକୃତିରୁ ନିଜ ପାଇଁ ଦୁର୍ଦ୍ଦଶା ଡାକି ଆଣୁଛନ୍ତି ଏହି ଲୋକେ ।

କେବଳ କେଶୁରା କି ଲକ୍ଷ୍ମୀ ବିହାର ଅଞ୍ଚଳ ନୁହେଁ, ଭୁବନେଶ୍ୱରରେ ଅଧିକାଂଶ ଜାଗାର ଅବସ୍ଥା ଆଜି ଏୟା । ଯିଏ ଯେଉଁଠି ପାରିଲେ ଜାଗା କିଣି ଘର ଠିଆ କରିଛନ୍ତି । ଅନେକ ଜାଗାରେ ଡ୍ରେନ୍ କୁ ମାଡ଼ି କିମ୍ବା ଡ୍ରେନ୍ ଉପରେ କୋଠା ନିର୍ମାଣ ହୋଇଛି । ସେଭଳି ବେଆଇନ ନିର୍ମାଣକୁ ବିଜୁଳି ଓ ପାଣି ସଂଯୋଗ ଦେବାର ନିୟମ ନ ଥିଲେ ମଧ୍ୟ ମାଲ୍ ପକାଇଲେ ସମ୍ଭବ ହୋଇଯାଉଛି । ସରକାରଙ୍କର ଏଥିରେ ଜମାରୁ ଅଙ୍କୁଶ ନାହିଁ ।

ଅଧିକାଂଶ କଲୋନୀରେ ବେଆଇନ ଘର ନିର୍ମାଣ ହୋଇଥିବାରୁ ଡ୍ରେନ୍ ପାଇଁ ରାସ୍ତା ନାହିଁ । ଡ୍ରେନ୍ କରିବାକୁ ହେଲେ ଘର ଭାଙ୍ଗିବା ଦରକାର ହେଉଥିବାରୁ ପ୍ରଶାସନ ହାତ ଟେକିଦେଉଛି । ଏଭଳି ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ନୋଟିସ୍ ଦିଆଯାଉଥିଲେ ମଧ୍ୟ ସଂପୃକ୍ତ ନିର୍ମାଣକାରୀ ଅଦାଲତର ଆଶ୍ରୟ ନେଉଥିବାରୁ କାମ ଆଗକୁ ବଢ଼ିପାରୁନାହିଁ । ତେଣୁ କିଛି ଲୋକଙ୍କ ବେଆଇନ କାମ ପାଇଁ ବଳି ପଢ଼ୁଛନ୍ତି କଲୋନୀ ବାସିନ୍ଦା । ବର୍ଷା ବିତ୍ପାତ ବେଳେ ନିଜ ଭାଗ୍ୟକୁ ଆଦରି ପଡି ରହୁଛନ୍ତି ।

ଆଉ ଏକ ବଡ଼ ସମସ୍ୟା ହୋଇଛି, ଲୋକଙ୍କ ସଚେତନାର ଅଭାବ । ବିଏମସି ପକ୍ଷରୁ ସଫେଇ ଗାଡ଼ି ଘର ଘର ବୁଲି ଆବର୍ଜନା ସଂଗ୍ରହ କରୁଥିଲେ ମଧ୍ୟ କିଛି ଲୋକ ଅଭ୍ୟାସଗତ ଭାବେ ନିଜ ଘରର ମଇଳା ଆବର୍ଜନାକୁ ନେଇ ପାଖ ଡ୍ରେନ୍ ରେ ପକାଉଛନ୍ତି । ବର୍ଷ ବର୍ଷ ଧରି ସେମାନେ ଏଭଳି ଭାବେ ଡ୍ରେନ୍ କୁ ଅବରୋଧ କରି ଚାଲିଛନ୍ତି । ସେମାନଙ୍କର କାହାକୁ ଡର କି ଖାତିର ନାହିଁ ।

ଦୁର୍ଭାଗ୍ୟର କଥା ଯେ ସେମାନଙ୍କୁ ଆକଟ କରିବା ଲୋକ ବି ନାହାନ୍ତି । ତାହା ବିଏମସିର ଦାୟିତ୍ୱ ବୋଲି ଲୋକମାନେ ଭାବି ଦେଇଛନ୍ତି । ସୁତରାଂ ଲୋକମାନେ ନିଜ ଅଧିକାର ପାଇଁ ଯେତେ ସଚେତନ, ନିଜ ଦାୟିତ୍ୱ ପ୍ରତି ସେତିକି ସଚେତନ ନୁହଁନ୍ତି । ମାତ୍ର ଅସୁବିଧାରେ ପଡ଼ିଲେ ସରକାରଙ୍କୁ ଗାଳି ଦେଇ ରାଜନୀତି କରିବାରେ ସେମାନେ ଖୁସି ପାଉଛନ୍ତି ।

ମୋଟାମୋଟି କହିଲେ, ଭୁବନେଶ୍ୱର ସହରର ଏହି ଦୁର୍ଦ୍ଦଶାକୁ ଆମେ ସମସ୍ତେ ମିଳିମିିଶି ଡାକି ଆଣିଛୁ । ଲୋକମାନଙ୍କର ସ୍ୱାର୍ଥପରତା ଓ ଦାୟିତ୍ୱହୀନତା ସାଙ୍ଗକୁ ସରକାରଙ୍କ ନିଷ୍କ୍ରିୟତା ସମ୍ପୂର୍ଣ୍ଣ ଭାବେ ଏଭଳି ଦୁର୍ଦ୍ଦଶା ପାଇଁ ଦାୟୀ । ଆଉ ନେତାମାନେ ଭୋଟ ରାଜନୀତି ପାଇଁ ନିଜର ସ୍ୱାର୍ଥରକ୍ଷାରେ ବ୍ୟସ୍ତ ଥିବାରୁ କେବଳ ଭଗବାନ ହିଁ ସାହା ।
No Result
View All Result