ହିଞ୍ଜିଳିକାଟୁ,ରିପୋର୍ଟ /ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ବୁଣାକାରଙ୍କ ଭାଗ୍ୟ, 20.4.2020 ଏପ୍ରିଲ, ସୋମବାର :- ଆଧୁନିକତାର ଦୈଡ଼ ଏବଂ ସମୟର ସ୍ପଳ୍ପତା ଭିତରେ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷ ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ପୂର୍ବ କାଳର ଘୋରଣା, ଶିଳ, ଶିଳପୁଆ,ପେଷଣା, ଢିଙ୍କି ଓ ହେମଦସ୍ତା ଭଳି ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ସବୁ ଆଉ ଦେଖିବାକୁ ମିଳୁନାହିଁ । ଝିଅ ବାହାଘର ସମୟରେ ଏସବୁ ଘରକରଣା ସାମଗ୍ରୀ ଦିଆଯାଉଥିଲା । ଘୋରଣାର ଘର ଘର ଶବ୍ଦ ଓ ଢିଙ୍କି କୁଟା ଶବ୍ଦ ଆଉ ଶୁଭୁନାହିଁ । ପୂର୍ବକାଳର ଲୋକଙ୍କ ମତ ଅନୁସାରେ ଘୋରଣା, ଶିଳ, ଶିଳପୁଆ,ପେଷଣା, ଢିଙ୍କି ଓ ହେମଦସ୍ତା ଆଦିରେ ପ୍ରସ୍ତୁତ ଖାଦ୍ୟ ଅତ୍ୟନ୍ତ ସ୍ୱାଦିଷ୍ଟ ରହୁଥିଲା ଏବଂ ଶରୀର ପାଇଁ ମଧ୍ୟ ପୈଷ୍ଟିକ ରହୁଥିଲା । ଢିଙ୍କି କୁଟା ଚାଉଳରେ ଥିବା ଉପରର ନାଲି ଚୋପା ଭିଟାମିନ ଯୁକ୍ତ ହୋଇଥାଏ । ବର୍ତମାନ ଯୁଗରେ ଢିଙ୍କିର ସ୍ଥାନ ନେଇଛି ମିଲ୍ । ଘୋରଣାରେ ଚୁରା ଯାଇଥିବା ଶସ୍ୟରୁ ପ୍ରସ୍ତୁତ ପିଠାପଣାର ସ୍ୱାଦ ମଧ୍ୟ ଅଲଗା ରହୁଥିଲା । ଶିଳପୁଆରେ ମସଲା ବଟା ଯାଉଥିଲା । ସେହି ଅନୁପାତରେ ମସଲାର ଗୁଣବତା ଓ ସୁଗନ୍ଧରେ ଘରେ ପ୍ରସ୍ତୁତ ବେସର, ତରକାରୀର ସ୍ୱାଦ କହିଲେ ନସରେ । ଶିଳପୁଆ, ଢିଙ୍କି ଭଳି ଜିନିଷ ଗୁଡ଼ିକର ବ୍ୟବହାର ଦ୍ୱାରା ମନୂଷ୍ୟର ଶାରୀରିକ ବ୍ୟାୟମ ମଧ୍ୟ ହୋଇ ପାରୁଥିଲା । ଏ ନେଇ ପୁରୁଣାକାଳିଆ ଗ୍ରାମାଂଚଳର ମହିଳା ମାନେ ଅଧିକାଂଶ ସମୟରେ ସୁସ୍ଥ ରହୁଥିଲେ ଏବଂ କଠିନ ପରିଶ୍ରମ କରିବାରେ ସକ୍ଷମ ହୋଇ ପାରୁଥିଲେ । ଆଜିକା ଦିନରେ ଲୋକଙ୍କ ପାଖରେ ସମୟର ଅଭାବ । ବ୍ୟସ୍ତବହୁଳ ଜୀବନ । କିପରି ଶୀଘ୍ର କାମ ହେବ ଏବଂ ସମୟ ସଂଚିତ ହୋଇପାରିବ ସେଥିଲାଗି ଜାଗ୍ରତ । ସମୟ ବଦଳିବା ସହ ଲୋକଙ୍କ ଜୀବନଶୈଳି ମଧ୍ୟ ବଦଳିବାରେ ଲାଗିଛି । ଘୋରଣା, ଶିଳ, ଶିଳପୁଆ,ପେଷଣା, ଢିଙ୍କି ଓ ହେମଦସ୍ତା ବଦଳରେ ଲୋକେ ଗ୍ରାଇଣ୍ଡର ଓ ମିଲ୍ର ସାହାର୍ଯ୍ୟ ନେବାରେ ଲାଗିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଶାରୀରିକ ପରିଶ୍ରମ ବିନା ସହାୟତାରେ ଅତି ସହଜ ସୁବିଧାରେ ଲୋକେ କାମ ହାସଲ କରୁଛନ୍ତି । ଏପରିକି ଶାରୀରିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ୁନାହିଁ । ଯଦ୍ୱାରା ଲୋକେ ଉଚ୍ଚ ରକ୍ତଚାପ, ମଧୁମେହ, ମୋଟାପଣ ଭଳି ନାନା ରୋଗରେ ପିଡ଼ିତ ହେଉଥିବାର ଦେଖିବାକୁ ମିଳୁଛି । ହିଂଜିଳିକାଟୁ ପୌରାଂଚଳ କିମ୍ବା ନିକଟସ୍ଥ ଗ୍ରାମାଂଚଳରେ ଆଉ ପ୍ରାୟତଃ କେଉଁ ସ୍ଥାନରେ ବି ଢିଙ୍କି ଦେଖିବାକୁ ମିଳୁନାହିଁ । କାଁ ଭାଁ କିଛି ଗ୍ରାମାଂଚଳରେ କିଛି ଲୋକଙ୍କଘରେ ଢିଙ୍କି ରହିଥିଲେ ମଧ୍ୟ ବ୍ୟବହାର କରାଯାଉନଥିବା ଜଣାପଡ଼ିଛି । କିଛି ଶିଳ୍ପୀ ପଥରରେ ତିଆରି ଘୋରଣା, ପେଷଣା, ଶିଳପୁଆ ପ୍ରସ୍ତୁତ କରି ପରିବାର ପ୍ରତିପୋଷର କରୁଥିବାର ଦେଖିବାକୁ ମିଳିଛି । ଏସବୁ ପଥରରେ ତିଆରି ଘୋରଣା, ପେଷଣା, ଶିଳପୁଆ ଗୁଡ଼ିକ କେବଳ ଝିଅ ବାହାଘର ସମୟରେ ଦିଆଯାଉଥିବାରୁ ପୂର୍ବପରି ବିକ୍ରିବଟା ହେଉନଥିବା ନେଇ ହିଂଜିଳିକାଟୁ ପୌରାଂଚଳରେ ବସତି ସ୍ଥାପନ କରି ରହୁଥିବା କିଛି ମୁସଲିମ୍ ସମ୍ପ୍ରଦାୟର ଲୋକେ କହିଛନ୍ତି । ଆଗାମୀ ଦିନରେ ପୁରୁଣା ଘରକରଣା ଜିନିଷ ଗୁଡ଼ିକ ଇତିହାସ ହୋଇ ରହିଯିବ ବୋଲି ବହୁ ବୟସ୍କ ବୃଦ୍ଧ କହିଛନ୍ତି ।