ହିଂଜିଳିକାଟୁ ,ରିପୋର୍ଟ/ଶେଷଦେବ ସାହୁ ( ଓଡିଶା ତାଜା ନ୍ୟୁଜ୍ ) ଗରୀବଙ୍କୁ ରନ୍ଧାଖାଦ୍ୟ, ଶୁକ୍ରବାର, ଏପ୍ରିଲ 17.4.2020 :- ଗଂଜାମ ଜିଲ୍ଲା ହିଂଜିଳିକାଟୁ ବ୍ଳକରେ ଲକଡ଼ାଉନ ସମୟରେ ବିଭିନ୍ନ ପଂଚାୟତରେ ରନ୍ଧାଖାଦ୍ୟ ପ୍ରଦାନରେ ବ୍ୟାପକ ଅନିୟମିତତା ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ହିଂଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ରଙ୍କ ସୁଚନାନୁସାରେ ସ୍ଥାନୀୟ ବ୍ଳକର ୨୧ ଟି ପଂଚାୟତ ମଧ୍ୟରୁ ୧୬ ଟି ପଂଚାୟତରେ ୭୯୩ ଲୋକେ ଦୈନିକ ରନ୍ଧାଖାଦ୍ୟ ଖାଉଛନ୍ତି । ସେହିପରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ସୁଚନା ପ୍ରକାରେ ପୌରାଂଚଳରେ ସକାଳ ସମୟରେ ୨୫ ଓ ରାତ୍ର ସମୟରେ ୨୨ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।
ବାହାର ରାଜ୍ୟରୁ ୯୪ ଜଣ ଆସି ସ୍ଥାନୀୟ ପୌରାଂଚଳରେ ବସବାସ କରୁଥିବା ବେଳେ ୪୩ ଜଣ ନିଜେ ବିଭିନ୍ନ ପ୍ରକାରରର ବୁଲି ବୁଲି ବ୍ୟବସାୟ କରୁଥିବା ବେଳେ ଅବଶିଷ୍ଟ ବିଭିନ୍ନ ଠିକାଦାରଙ୍କ ନିକଟରେ ରହି କାର୍ଯ୍ୟ କରୁଛନ୍ତି । ପୌର ପରିଷଦ ପକ୍ଷରୁ ବାହାର ରାଜ୍ୟରୁ ଆସି ନିଜେ ବେପାର ବରଇଜ କରୁଥିବା ୪୩ ଲୋକଙ୍କୁ ସାପ୍ତାହିକ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ସରକାରଙ୍କ ନିୟମାନୁସାରେ ଯେଉଁମାନେ ବାର୍ଦ୍ଧ୍ୟକ ଭତା ପାଉଛନ୍ତି ଓ ଏପରିକି ଯେଉଁ ମାନଙ୍କର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ନ୍ତଭୁକ୍ତ ଥାଇ ରାସନ ପାଉଛନ୍ତି, ସେମାନେ ପଂଚାୟତସ୍ତରରେ ପ୍ରଦାନ କରାଯାଉଥିବା ରନ୍ଧାଖାଦ୍ୟ ପାଇବାକୁ ଯୋଗ୍ୟ ନୁହଁ । କିନ୍ତୁ ଏହି ନିୟମ ସ୍ଥାନୀୟ ବ୍ଳକର କିଛି ପଂଚାୟତରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ସରକାର, ବିଭିନ୍ନ ହିତାଧିକାରୀଙ୍କୁ ବିଭିନ୍ନ ଭତା ବାବଦରେ ଅଗ୍ରୀମ ୨ ହଜାର ଟଙ୍କା ସମେତ ଖାଉଟି କାର୍ଡ଼ ହିତାଧିକାରୀଙ୍କୁ ୩ ମାସର ଚାଉଳ ଓ ରାସନ ସାମଗ୍ରୀ ପ୍ରଦାନ କରି ଆସୁଛନ୍ତି ।
ଯେଉଁମାନେ ନିରାଶ୍ରୟ, ବିକଳାଙ୍ଗ, ବାହାର ରାଜ୍ୟ କିମ୍ବା ଜିଲ୍ଲାରୁ ଆସି ରହିଛନ୍ତି, ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ବିଡ଼ିଓ ପାତ୍ର ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ସାହୁ କହିଛନ୍ତି । ବାସ୍ତବରେ ଦେଖାଯାଉଛି ଅଧିକାଂଶ ପଂଚାୟତରେ ନିମ୍ନମାନର ରୋଷେଇ କରାଯାଉଥିବା ବେଳେ ଏପରିକି ବହୁ ଅଯୋଗ୍ୟ ବ୍ୟକ୍ତି ମଧ୍ୟ ପଂଚାୟତସ୍ତରେ ପ୍ରଦାନ କରାଯାଉଥିବା ରନ୍ଧାଖାଦ୍ୟ ଖାଉଥିବା ଅଭିଯୋଗ ହେଉଛି । ବିଭିନ୍ନ ପଂଚାୟତରେ ରନ୍ଧାଖାଦ୍ୟ ପ୍ରଦାନ ନାମରେ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତି ମୋଟା ଅଙ୍କର ହାତ ଚିକ୍କଣ କରୁଥିବା ଅଭିଯୋଗ ହୋଉଛି ।
ପୋଚିଲିମା ପଂଚାୟତ ବୁଗୁଡ଼ାପଲ୍ଲୀ ଗ୍ରାମର ୧୨ ଜଣ ଗରୀବ ଶ୍ରେଣୀର ହୋଇଥିବା ବେଳେ ଖାଉଟି କାର୍ଡ଼ ଚୟନ ସମୟରେ ରାଜନୈତକ ଆକ୍ରୋଶ ବା ଅନ୍ୟର ପ୍ରରୋଚନାରେ ପଡ଼ି କିଛି ପ୍ରଶାସନିକ ଅଧିକାରୀ ଖାଉଟି କାର୍ଡ଼ ପାଇବାରେୁ ବଂଚିତ କରାଯାଇଥିବା ଅଭିଯୋଗ କରିଛନ୍ତି । ଲକଡ଼ାଉନ ସମୟରେ ସେମାନେ ନିଜର ଜୀବିକା ହରାଇ ବସିଥିବା ବେଳେ ବର୍ତମାନ ସମୟରେ ସେମାନେ ଭଲଭାବେ ଦୁଇ ଓଳି ଦୁଇମୁଠା ଖାଇବାକୁ ପାଉନଥିବା ଦୁଃଖର ସହ କହିଛନ୍ତି । ଅନ୍ୟ ପକ୍ଷରେ କିଛି ପଂଚାୟତରେ ରନ୍ଧାଖାଦ୍ୟ ଖୁବ୍ କମ୍ ପରିମାଣରେ ପ୍ରଦାନ କରାଯାଉଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ପ୍ରଶାସନିକ ଅଧିକାରୀ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହେଉଛି । ଫଟୋ- ହିତାଧିକାରୀଙ୍କୁ ସ୍ୱଳ୍ପ ପରିମାଣରେ ରନ୍ଧାଖାଦ୍ୟ ପ୍ରଦାନ