ରଣପୁର,ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍ ) ରାଇପଡା କାଜୁ ଜଙ୍ଗଲ ବିବାଦ, ଶୁକ୍ରବାର, ଏପ୍ରିଲ 17.4.2020 :- ରଣପୁର ବ୍ଲକର ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମରେ କାଜୁ ଜଙ୍ଗଲକୁ କେନ୍ଦ୍ର କରି ହୋଇଥିବା ସଙ୍ଘର୍ଷରେ ଚାନ୍ଦପୁର ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଘଟଣାରୁ ଜଣାଯାଏ ଯେ ଗତ ୧୦ ତାରିଖରେ ରାଇପଡା କାଜୁ ବଗିଚାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୨୦ ଜଣ ଆହତ ହୋଇଥିଲେ । ରାଇପଡା ନିକଟସ୍ଥ କଦମ୍ବଝୋଲା ମୌଜାରେ ଥିବା ସରକାରୀ କାଜୁ ଜଙ୍ଗଲକୁ ଜୈନିକ ବ୍ୟକ୍ତି ନିଲାମ ଆଣି କାଜୁ ସଂଗ୍ରହ କରୁଥିଲେ । କିନ୍ତୁ ଏହି ଘଟଣାକୁ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରି ଗତ ୧୦ ତାରିଖରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରାୟ ୨୦ ଜଣ ଆହତ ହୋଇଥିଲେ । ଗୁରୁତର ଆହତ ହୋଇଥିବା ଦୁର୍ଗା ଚରଣ ପ୍ରଧାନ ଟାଙ୍ଗି ମେଡିକାଲରେ ପ୍ରାଣ ତ୍ୟାଗ କରିଥିବା ବେଳେ ବିରଂଚି ପ୍ରଧାନ ଭୁବନେଶ୍ୱରରେ ପ୍ରାଣ ତ୍ୟାଗ କରିଥିଲେ । ଏହି ଘଟଣା ପରେ ରାଇପଡାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଉତ୍ୟକ୍ତ ଗ୍ରାମବାସୀମାନେ ଶବକୁ ଥାନା ଆଗରେ ରଖି କ୍ଷତି ପୂରଣ ଦାବି ସହ ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଥିଲେ । ଏହି ଘଟଣା ପରେ ପୁଲିସ ଉପରେ ଚାପ ବୃଦ୍ଧି ପାଇଥିଲା । ପରେ ଧାରଣାରତ ଗ୍ରାମବାସୀଙ୍କୁ ନୟାଗଡ ଉପ- ଜିଲ୍ଲାପାଳ ଲଗ୍ନଜିତ ରାଉତ, ଏସ୍.ଡି.ପି.ଓ ଏସ୍ ଟାପୋ, ରଣପୁର ତହସିଲଦାର ସଞ୍ଜୟ କୁମାର ସାମନ୍ତରାୟ, ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହକ ପ୍ରମୂଖ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ସେତେବେଳେ ଉଚ୍ଚ ପଦସ୍ଥ ଅଧିକାରୀମାନେ ପୁଲିସ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫକରିବ ବୋଲି ପ୍ରତିଶୃତି ଦେଇଥିଲେ । ପୁଲିସ ଏହି ଘଟଣାରେ ୨ ଭାଇ ବିକାଶ ଜେନା ଓ ପ୍ରକାଶ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।