ରଣପୁର ବ୍ଲକ, ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ଚାନ୍ଦପୁର 10.4.2020 ଶୁକ୍ରବାର : – ରଣପୁର, ସମଗ୍ର ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ନେଇ ଚିନ୍ତିତ ରହିଥିବା ବେଳେ ଓଡିଶା ସମେତ ସାରା ଭାରତରେ ଏବେ ଲକ୍ ଡାଉନ ଚାଲିଛି । ଲୋକମାନେ ଘରୁ ବାହାରିବା କଟକଣା ଥିଲା ବେଳେ ଜନଜୀବନ ହୋଇ ଯାଇଛି ପୁରାପୁରି ଠପ୍ । ଏପରି ଏକ ବିପଦ ସମୟରେ ରଣପୁର ବ୍ଲକ ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଗ୍ରାମରେ କାଜୁ ଜଙ୍ଗଲକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ, ରାଇପଡା ଗ୍ରାମର ବେଣୁଧର ପ୍ରଧାନ ଓଡିଶା କାଜୁ ଉନ୍ନୟନ ନିଗମ ଠାରୁ କଦମ ଝୋଲା କାଜୁ ବଗିଚାକୁ ନିଲାମ ଆଣିଥିଲେ । ପରେ ସେ ଏହି ବଗିଚାରେ କାଜୁ ତଦାରଖ କରିବା ପାଇଁ ୮ ଜଣଙ୍କୁ ନିଯୁକ୍ତି ଦେଇଥିଲେ । ଏବେ କାଜୁ ସଂଗ୍ରହ ସମୟ ହୋଇଥିବାରୁ ସମ୍ପୃକ୍ତ ବ୍ୟକ୍ତିମାନେ ନିୟମିତ କାଜୁ ବଗିଚାରୁ କାଜୁ ସଂଗ୍ରହ କରିଥାଆନ୍ତି ।
ଆଜି ପୂର୍ବଭଳି କାଜୁ ବଗିଚାରେ କାଜୁ ସଂଗ୍ରହ କଲା ବେଳେ ଆଜି ରାଇପଡା ଗ୍ରାମର ୪୦ ଜଣ ଲୋକ ସଂଘ ବଦ୍ଧ ହୋଇ ହାତରେ ଖଣ୍ଡା, ଭୁଜାଲି ଓ ଠେଙ୍ଗା ଧରି ଅତର୍କିତ ଭାବେ କାଜୁ ବଗିଚାରେ କାମ କରୁଥିବା ଲୋକମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବା ସହ କାଜୁ ବଗିଚାକୁ ନଷ୍ଟ କରି ଦେଇଥିଲେ । ଯାହା ଫଳରେ ଦୁଇ ଗୋଷ୍ଠି ମଧ୍ୟରେ ସଂଙ୍ଘର୍ଷ ହୋଇଥିଲା । ପରେ ଆହତମାନଙ୍କୁ ଟାଙ୍ଗୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ସଂଘର୍ଷରେ ଦୁର୍ଗା ପ୍ରଧାନ (୫୦) ଓ ବିରଂଚି ପ୍ରଧାନ(୫୫) ଅତ୍ୟଧିକ ଗୁରୁତର ଭାବେ ଆହତ ହୋଇଥିଲେ । ଯାହା ଫଳରେ ଦୁର୍ଗା ପ୍ରଧାନ ଟାଙ୍ଗୀ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ବିରଂଚି ଭୁବନେଶ୍ୱର ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏଥି ସହ ଅନ୍ୟ ୫ ଗୁରୁତର ଭୁବନେଶ୍ୱର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଘଟଣା ସ୍ଥଳ ଏବେ ବି ଉତ୍ତେଜନା ପୂର୍ଣ୍ଣ ଥିବା ବେଳେ ପୋଲିସ ଏକ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି । ଏହି ଘଟଣାରେ ନୟାଗଡ ଆରକ୍ଷୀ ଅଧିକାରୀ ଚାନ୍ଦପୁର ଥାନାକୁ ଆସି ତଦନ୍ତ କରି ଫେରି ଯାଇଛନ୍ତି । ଏହି ଘଟଣାରେ ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରିପୋର୍ଟ ଲେଖା ହେବା ସୁଦ୍ଧା ପୋଲିସ କାହାକୁ ଗିରଫ କରି ନ ଥିବା ଜଣାଯାଇଛି ।