No Result
View All Result
ଓଡ଼ିଶା ରାଜ୍ୟର ବିକାଶ ପାଇଁ ଟାଟା ଗ୍ରୁପ୍ର ପ୍ରତିବଦ୍ଧତାର ଆଉ ଏକ ନମୁନା
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ଗୋପାଳପୁର :- ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍ (ଟିଏସ୍ଏସ୍ଇଜେଡ୍) ର ଗୋପାଳପୁର ଶିଳ୍ପ ପାର୍କରେ ସ୍ଥାପନ କରାଯାଇଥିବା ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଟିସିପି) ର ନୂଆ ଚା’ ପ୍ୟାକେଜିଂ କାରଖାନାକୁ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ୧୬ ଏକରରୁ ଅଧିକ ଜମିରେ ପରିମିତ ଏହି କାରଖାନାକୁ ୧୦୦ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଇଛି, ଯେଉଁଥିରୁ ଭିତିଭୂମି ପାଇଁ ନିବେଶ ଟିଏସ୍ଏସ୍ଇଜେଡ୍ ଦ୍ୱାରା ଓ ମେସିନ୍ ନିବେଶ ଟିସିପି ଦ୍ୱାରା କରାଯାଇଛି । ଟିସିପି ହେଉଛି ଟାଟା ଗ୍ରୁପ୍ର ପ୍ରମୁଖ ଖାଦ୍ୟ ଓ ପାନୀୟ କାରବାରକୁ ଏକତ୍ରୀତ କରିଥିବା ଉପଭୋକ୍ତା ଉତ୍ପାଦ କଂପାନି ଓ ଟିଏସ୍ଏସ୍ଇଜେଡ୍ ହେଉଛି ଗୋପାଳପୁର ଶିଳ୍ପ ପାର୍କର ଡେଭେଲପର୍ ଯାହା ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ନୂଆ କାରଖାନା ସଫଳତାର ସହ ଏହାର ପରୀକ୍ଷାମୂଳକ ଉତ୍ପାଦ ସମ୍ପାଦିତ କରିଛି । ଏହା ଟିସିପି ଉତ୍ପାଦର ସର୍ବବୃହତ ଚା’ ପ୍ୟାକେଜିଂ କାରଖାନା ହେବାକୁ ଯାଉଛି ଯେଉଁଥିରେ ୨୦୨୪-୨୫ ସୁଦ୍ଧା ପ୍ରାୟ ୬୦ ନିୟୁତ କେଜି ଉତ୍ପାଦନ କରାଯିବ । ଏହି ପ୍ରକଳ୍ପ ପ୍ରଥମ ବର୍ଷରେ ୨୫୦ ଜଣ ଲୋକ ଓ ୨୦୨୪-୨୫ ସୁଦ୍ଧା ୭୦୦ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି କରିବ । ଏହି କାରଖାନାରେ ରହିଛି ଏକ ସମନ୍ୱିତ ପ୍ରଡକ୍ଟସନ ଡିଜାଇନ୍ ଓ ଗୋଦାମ ସୁବିଧା ସହ ଏକ ଷ୍ଟୋରେଜ୍ (ସଂରକ୍ଷଣ) ସ୍ଥାନ ଏବଂ ବାତ୍ୟାର ପ୍ରଭାବ ମୁକାବିଲା କରିବାର ବୈଶିଷ୍ଟ୍ୟ ଏଥିରେ ରହିଛି ।
କାରଖାନାରେ ଉନ୍ନତ ପରିଚାଳନା ଦକ୍ଷତା ଲାଗି ଆଇଓଟି ଦକ୍ଷତା ଥିବା ଷ୍ଟେଟ୍-ଅଫ୍-ଆର୍ଟ ପ୍ୟାକେଜିଂ ମେସିନାରି ଖଞ୍ଜା ଯାଇଛି । ଟିସିପିର ନିରନ୍ତର ଏଜେଣ୍ଡା ଅନୁସାରେ ଏଥିରେ ୩୫୦ କିଲୋୱାଟ୍ର ଏକ ସୌର ଶକ୍ତି ୟୁନିଟ୍ ରହିଛି । ଟାଟା କଂଜ୍ୟୁମର ପ୍ରଡକ୍ଟସ୍ର ଏକ ସହଯୋଗୀ କଂପାନି ଆମାଲଗାମେଟେଡ୍ ପ୍ଲାଟେଂସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏପିପିଏଲ୍) ଦ୍ୱାରା ଏହି ଚା’ ପ୍ୟାକେଜିଂ କାରଖାନା ପରିଚାଳିତ ହେବ । ଏପିପିଏଲ୍ ଏବେ ଆସାମରେ ଦୁଇଟି ଓ ପଶ୍ଚିମବଙ୍ଗରେ ଗୋଟିଏ ସମେତ ତିନିଟି ଚା’ ପ୍ୟାକେଜିଂ କାରଖାନାର ପରିଚାଳାନା କରୁଛି । ଗୋପାଳପୁର ପ୍ଲାଂଟ୍ ହେଉଛି ଟିସିପିର ପ୍ରଥମ କାରଖାନା ଯେଉଁଠାରେ ଉଭୟ ପତ୍ର ଏବଂ ଡଷ୍ଟ୍ ଚା’ର ପ୍ୟାକେଜିଂ କରାଯିବ, ଯାହା ପରିଚାଳନା ନେଟ୍ୱର୍କରେ ଅଧିକ ନମନୀୟତା ପ୍ରଦାନ କରିବ । ଶ୍ରୀଯୁକ୍ତ ଦିବ୍ୟ ଶଙ୍କର ମିଶ୍ର, ଶିଳ୍ପ ରାଷ୍ଟ୍ରମନ୍ତ୍ରୀ, ଓଡ଼ିଶା; ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପିଏସ୍ ଓ ୫-ଟି ସଚିବ; ଶ୍ରୀଯୁକ୍ତ ହେମନ୍ତ ଶର୍ମା, ପ୍ରମୁଖ ସଚିବ, ଶିଳ୍ପ ବିଭାଗ, ଓଡ଼ିଶା; ଶ୍ରୀଯୁକ୍ତ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, ଗଂଜାମ; ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ, ସିଇଓ ଓ ପରିଚାଳନା ନିର୍ଦେଶକ, ଟାଟା ଷ୍ଟିଲ୍; ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଅଧ୍ୟକ୍ଷ, ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନମିକ୍ ଜୋନ୍; ଶ୍ରୀଯୁକ୍ତ ସୁନିଲ ଡି’ସୁଜା, ସିଇଓ ଓ ପରିଚାଳନା ନିର୍ଦେଶକ, ଟାଟା କଂଜ୍ୟୁମର ପ୍ରଡକ୍ଟସ୍; ଶ୍ରୀଯୁକ୍ତ ପ୍ରଶାନ୍ତ ମଲ୍ଲିକ, ପରିଚାଳନା ନିର୍ଦେଶକ, ଟିଏସ୍ଏସ୍ଇଜେଡ୍; ଶ୍ରୀଯୁକ୍ତ ସୁଖଜିତ ସିଂହ ମଲ୍ହୋତ୍ରା, ବରିଷ୍ଠ ଉପସଭାପତି, ଟିସିପି; ଶ୍ରୀଯୁକ୍ତ ଦେବାଶିଷ ଜେନା, ମୁଖ୍ୟ ଆବାସିକ କାର୍ଯ୍ୟନିର୍ବାହୀ, ଟାଟା ଷ୍ଟିଲ୍ ଓ ଅନ୍ୟ ଅତିଥିମାନେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଭର୍ଚୁଆଲ୍ ମାଧ୍ୟମରେ କାରଖାନାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାରେ ଟାଟା ଗ୍ରୁପ୍ର ଭୂମିକାକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ଓଡ଼ିଶାର ଶିଳ୍ପ ବିକାଶରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି ।

ଶିକ୍ଷା, ସ୍ୱାସ୍ଥ୍ୟ ଓ କୌଶଳ ବିକାଶ ଅଭିଯାନ ଆଦିରେ ଓଡ଼ିଶା ସରକାରଙ୍କ ସହ ସହଯୋଗିତା ଜରିଆରେ ସାମାଜିକ ବିକାଶର ପରିବର୍ତକ ଭାବେ ସେମାନେ ଆଗେଇ ଆସିଛନ୍ତି । କୋଭିଡ୍ ମହାମାରୀ ସମୟରେ ମେଡ଼ିକାଲ୍ ଅକ୍ସିଜେନ୍, ପିଏସ୍ଏ, ପ୍ଲାଂଟ୍ ଓ ଗୁରୁତ୍ୱପୂର୍ଣ୍ଣ ଆକ୍ସେସୋରିଜ୍ ଯୋଗାଡ଼ କରିବାରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିଥିବାରୁ ସେ ଟାଟା ଗ୍ରୁପ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ, ସିଇଓ ଓ ପରିଚାଳନା ନିର୍ଦେଶକ, ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଏହା ଆମ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ ଯେ ଟାଟା ଗ୍ରୁପ୍ର ଆଉ ଜଣେ ସଦସ୍ୟ, ଟିସିପି ଓଡ଼ିଶାରେ ଏହାର ପ୍ରଥମ ମାନୁଫାକ୍ଚରିଂ ବ୍ୟବସ୍ଥା ଆରମ୍ଭ କରିଛି । ପ୍ରମୁଖ ନିବେଶକ ଭାବେ ଟାଟା ଷ୍ଟିଲ୍ ତରଫରୁ ଗୋପାଳପୁର ଶିଳ୍ପ ପାର୍କରେ ପୂର୍ବରୁ ଏକ ୫୫,୦୦୦ ଟିପିଏର ଫେରୋ କ୍ରୋମ୍ କାରଖାନା ସ୍ଥାପନ କରାଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆମର ନିବେଶ ହେଉଛି ରାଜ୍ୟର ବିକାଶ ଏବଂ ଏହର ଅଭିବୃଦ୍ଧି କାହାଣୀ ପ୍ରତି ରହିଥିବା ଦୃଢ଼ ବିଶ୍ୱାସ ପ୍ରତି ପ୍ରତିବଦ୍ଧତାର ପ୍ରଦର୍ଶନ ।’’ ଶ୍ରୀଯୁକ୍ତ ସୁନିଲ ଡି’ସୋଜା, ସିଇଓ ଓ ପରିଚାଳନା ନିର୍ଦେଶକ, ଟାଟା କଂଜ୍ୟୁମର ପ୍ରଡକ୍ଟସ୍ ଉଦଘାଟନୀ ଅବସରରେ କହିଛନ୍ତି ଯେ, “ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି ଯୋଗାଣ ଶୃଙ୍ଖଳ ଦକ୍ଷତାକୁ ବଢ଼ାଇବା ଲାଗି ଟାଟା କଂଜ୍ୟୁମର ପ୍ରଡକ୍ଟସ୍ର ରହିଥିବା ଯୋଜନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଏହି କାରଖାନା । ଏହା ଏକ ଷ୍ଟେଟ୍-ଅଫ୍-ଆର୍ଟ ୟୁନିଟ୍, ଟାଟା କଂଜ୍ୟୁମର୍ର ସର୍ବବୃହତ ଚା’ ପ୍ୟାକେଜିଂ କାରଖାନା ଏବଂ ଆମ ଯୋଗାଣ ଶୃଙ୍ଖଳ ନେଟ୍ୱର୍କର ଏକ ପ୍ରମୁଖ ହବ୍ ହେବ ।
ଆମର ୩ ନିରନ୍ତରତା ଏଜେଣ୍ଡା ଅନୁସାରେ, ସବୁଜ ମାନୁଫାକ୍ଚରିଂ ଉପରେ ଧ୍ୟାନ ଦେଇ ଏହାକୁ ନିର୍ମାଣ କରାଯାଇଛି । ‘’ ଏହି ଅବସରରେ ଶ୍ରୀଯୁକ୍ତ ଚାଣଜ୍ୟ ଚୌଧୁରୀ, ଅଧ୍ୟକ୍ଷ, ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍ କହିଛନ୍ତି ଯେ, “ଆମେ ଖୁସି ଯେ ପ୍ଲଗ୍ ଆଣ୍ଡ୍ ପ୍ଲେ ଭିତିଭୂମି, ମଲ୍ଟି-ମୋଡାଲ୍ ଲଜିଷ୍ଟିକ ସଂଯୋଗ, ପ୍ରସ୍ତୁତ ହୋଇ ରହିଥିବା ପରିବେଶ ମଂଜୁରି, ସ୍ପଷ୍ଟ ଜମି ଟାଇଟଲ୍ ସହ ଗୋପାଳପୁର ଶିଳ୍ପ ପାର୍କ ଆରମ୍ଭ ହେବାର ଅଳ୍ପ ସମୟ ଭିତରେ ଭାରତର ପସନ୍ଦର ନିବେଶ ସ୍ଥଳ ଭାବେ ଦ୍ରୁତ ଗତିରେ ଉଦୀୟମାନ ହୋଇଛି । ଶିଳ୍ପ ପାର୍କରେ ଆମର କିଛି ମୂଲ୍ୟବାନ କ୍ଲାଏଂଟ୍ ପରିଚାଳନା ଆରମ୍ଭ କରିସାରିଛନ୍ତି ଏବଂ ଆସିବାକୁ ଥିବା ଆହୁରି ଅଧିକ ନିବେଶକଙ୍କୁ ଆମେ ଚାହିଁରହିଛୁ ଯାହା ଏହି ଅଂଚଳର ଶିଳ୍ପ ପ୍ରଗତିରେ ଯୋଗଦାନ ପ୍ରଦାନ କରିବ ।’’ ମହାମାରୀ ର ବିଭ୍ରାଟ ସତ୍ୱେ ଟିମ୍ ତରଫରୁ ନିର୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯାଇଛି ଓ ପରିଚାଳନା ଆରମ୍ଭ କରାଯାଇଛି । ଏହି ଆହ୍ୱାନପୂର୍ଣ୍ଣ ସମୟରେ ପ୍ରକଳ୍ପକୁ ସଫଳ କରିବା ଲାଗି ବିଭିନ୍ନ ବିଭାଗ ଓ ଏଜେନ୍ସିଗୁଡ଼ିକ ଯଥା ଶିଳ୍ପ ବିଭାଗ, ଓଡ଼ିଶା ସରକାର; ଓଡ଼ିଶା ଶିଳ୍ପ ଭିତିଭୂମି ବିକାଶ ନିଗମ (ଇଡକଲ୍); ଇପିକଲ୍, ବିଶେଷ କରି ଏହାର ପ୍ରଭାବୀ ସିଙ୍ଗଲ ୱିଣ୍ଡୋ ମଂଜୁରି, ଗଂଜାମ ଜିଲ୍ଲା ପ୍ରଶାସନ, ଫାକ୍ଟ୍ରି ଆଣ୍ଡ୍ ବଏଲର୍ସ ବିଭାଗ, ଓଡ଼ିଶା ସରକାର, ରାଜ୍ୟ ବିଦ୍ୟୁତ ବୋର୍ଡ, ଅଗ୍ନିଶମ ଓ ଉଦ୍ଧାର, ଏଫ୍ଏସ୍ଏସ୍ଏଆଇ ଇତ୍ୟାଦି ସହାୟକ ହୋଇଛନ୍ତି ।
No Result
View All Result