ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜାନ୍ୟୁଜ୍ ) ଭୁବନେଶ୍ୱର 6.4.2020 :– ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟରେ ଥିବା ଶିଶୁଯତ୍ନ ଅନୁଷ୍ଠାନଗୁଡ଼ିକୁ ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଅନୁଦାନ ପ୍ରାପ୍ତ ୧୨୮ ଗୋଟି ଅନୁଷ୍ଠାନକୁ ୬ କୋଟି ୫୪ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

ସେହିପରି ଲକ୍ ଡାଉନ୍ ସମୟରେ ଅଣଅନୁଦାନ ପ୍ରାପ୍ତ ଶିଶୁଯତ୍ନ ଅନୁଷ୍ଠାନର ସୁପରିଚାଳନା ତଥା ଆବଶ୍ୟକୀୟ ଦ୍ରବ୍ୟ କ୍ରୟ ନିମନ୍ତେ ରାଜ୍ୟ ସରକାର ୧୦୧ ଗୋଟି ଅନୁଷ୍ଠାନକୁ ୩୯ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ୨୫ରୁ କମ୍ ଅନ୍ତେବାସୀ ଥିବା ଅନୁଷ୍ଠାନ ଗୁଡ଼ିକୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨୫ରୁ ଅଧିକ ଅନ୍ତେବାସୀ ଥିବା ଅନୁଷ୍ଠାନ ଗୁଡ଼ିକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଜାରି ରହିଥିବା ବେଳେ ରାଜ୍ୟରେ ୨୪୪ଗୋଟି ଶିଶୁଯତ୍ନ ଅନୁଷ୍ଠାନରେ ୯୨୦୦ ଜଣ ଶିଶୁ ଶୃଙ୍ଖଳିତ ଜୀବନ ଯାପନ କରୁଛନ୍ତି । ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ୧୯୬ ଗୋଟି ଶିଶୁ ଗୃହ, ୨୮ଟି ସ୍ୱତନ୍ତ୍ର ପୋଷ୍ୟ ଗ୍ରହଣ କେନ୍ଦ୍ର, ୧୨ଟି ମୁକ୍ତ ଆଶ୍ରୟ ସ୍ଥଳରେ ରଖାଯାଇଥିବା ବେଳେ ଆଇନ ସହ ଦ୍ୱନ୍ଦଗ୍ରସ୍ତ ଶିଶୁମାନଙ୍କୁ ରାଜ୍ୟରେ ଥିବା ୪ଟି ପର୍ଯ୍ୟବେକ୍ଷଣ ଗୃହରେ ରଖାଯାଇଛି ।