No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :- ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବିଲିପଡା ସେବାସମବାୟ ସମିତିର ଚାଷୀମାନଙ୍କ ଠାରୁ ରବିଧାନ ସଂଗ୍ରହ ପାଇଁ ଦାବିକରି ଆଜି ବହୁ ଚାଷୀ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାରୁ ଜଣାଯାଏ ଗତ ବର୍ଷ ମହାନଦୀର ପ୍ରଳୟଙ୍କାରୀ ବନ୍ୟାରେ ସେ ଅଞ୍ଚଳରେ ଖରିଫ୍ ଧାନ ସମ୍ପୂଣ୍ଣୁ ଭାବେ ଧୋଇ ହୋଇଯାଇଥିଲା । ଫଳରେ ସେ ଅଞ୍ଚଳରେ ଶାରଦ ଧାନ ନଥିବାରୁ ଖରିଫ୍ ମଣ୍ଡି ହୋଇ ପାରିଲା ନାହିଁ । ସରକାରଙ୍କ ତରଫରୁ ରଣନଦୀରେ ଉଠାଜଳସେଚନ ବ୍ୟବସ୍ଥା ଥିବାରୁ ବିଲିପଡା ଅଞ୍ଚଳର ଚାଷୀମାନେ ପୁନର୍ବାର ରବିଧାନ ଚାଷ କରି ଭଲ ଧାନ ଅମଳ କରିଛନ୍ତି ।
ଚାଷୀ ତା ନିଜର ଖାଦ୍ୟ ପାଇଁ ଧାନ ରଖି ବଳକା ଧାନ ସରକାରଙ୍କ ଘୋଷଣାନାମା ଅନୁସାରେ ବହୁ ପୂର୍ବରୁ ପଞ୍ଜିକରଣ କରି ୨୬୧ଜଣ ଚାଷୀ ଟୋକନ ନମ୍ବର ପାଇଛନ୍ତି । ସେଥି ମଧ୍ୟରୁ ୧୩୧ଜଣ ଚାଷୀଙ୍କ ଠାରୁ ୬ହଜାର ୯ଶହ କ୍ୱିଣ୍ଟାଲ୍ ଧାନ ମଣ୍ଡି ମାଧ୍ୟମରେ କିଣାଯାଇଛି । ବାକି ୧୩୦ଜଣ ଚାଷୀଙ୍କର ଟୋକନ ପାଇ ପଞ୍ଜିକୃତ ଚାଷୀମାନଙ୍କ ପାଖରେ ବର୍ତ୍ତମାନ ସୁଧା ୬ହଜାର ୬ଶହ କ୍ୱିଣ୍ଟାଲ୍ ଧାନ ପଡିରହିଛି । ପାଣିପାଗ ସୂଚନା ଅନୁଯାୟୀ ବର୍ତ୍ତମାନ ମୌସମୀ ବର୍ଷା ଆରମ୍ଭ ହୋଇଗଲାଣି । ଚାଷୀମାନେ ରାସ୍ତାକଡରେ ଧାନକୁ ପାଲ ଘୋଡାଇ ରଖିଛନ୍ତି । ବିଲିପଡା ଅଞ୍ଚଳ ବାଙ୍କୀ ନିର୍ବାଚନୀ ମଣ୍ଡଳୀରେ ସବୁଠାରୁ ଖାଲୁଆ ଅଞ୍ଚଳ ରୂପେ ପରିିଚିତ । ପ୍ରତିବର୍ଷ ବନ୍ୟା ଆସିଲେ ବିଲିପଡା ପଞ୍ଚାୟତ ପାଣିରେ ବୁଡିଥାଏ ।
ଏବେ ପ୍ରତିଦିନ ବର୍ଷା ହେଉଥିବାରୁ ଚାଷୀମାନଙ୍କ ମନରେ ବନ୍ୟାର ଭୟ ଜାତ ହୋଇଛି । ଏ ଅଞ୍ଚଳରେ ବଳକା ଧାନ ରଖିବାକୁ କୌଣସି ଉଚ୍ଚ ଜାଗା ନାହିଁ । ଏ ସଂପର୍କରେ ଚାଷୀମାନେ ସମିତି ସଂପାଦକଙ୍କୁ ପଚାରିବାରେ ସେ କହୁଛନ୍ତି ଯେ ମିଲର ଆଲର୍ଟମେଣ୍ଟ୍ ସ୍ଲିପ୍ (ମାସ) ଓ ମିଲରଙ୍କ ଗାଡି ସମିତିକୁ ଯୋଗାଇ ଦେଲେ ସମିତି ତରଫରୁ ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ବ୍ୟବସ୍ଥା ହେବ । ଏ ସଂପର୍କରେ ସମିତି ସଂପାଦକ ଗତ ତା.୦୪.୦୬.୨୦୨୧ରିଖରେ ବାଙ୍କୀ ସମବାୟ ସର୍କଲ ସହକାରୀ ନିବନ୍ଧକକୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ତେଣୁ ଚାଷୀମାନଙ୍କ ଠାରୁ ବାକି ଥିବା ୧୩୦ଜଣ ଚାଷୀଙ୍କର ଧାନକୁ ଶୀଘ୍ର ସମିତି ମାଧ୍ୟମରେ ୩ଦିନ ମଧ୍ୟରେ ଉଠାଗଲେ ଚାଷୀମାନେ ଉପକୃତ ହେବେବୋଲି ଚାଷୀ ସୁରେଶ କୁମାର ରାଉତ, ସ୍ୱପ୍ନେଶ୍ୱର ରାଉତ, ବିଚିତ୍ରା ନନ୍ଦ ପ୍ରଧାନଙ୍କ ସମେତ ଶତାଧିକ ଚାଷୀ ଦାବିପତ୍ରରେ ଦର୍ଶାଇଛନ୍ତି । (ରିପୋର୍ଟ ଗୌତମ ମିଶ୍ର)
No Result
View All Result